Categories: ମେଟ୍ରୋ

‘ଆମ ମାଟିର କଳା-୨୦୧୯’ ମହୋତ୍ସବ ପାଳିତ: କଳାକାର ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣି

ଭୁବନେଶ୍ୱର,୩।୮(ବ୍ୟୁରୋ): କଳାର ପ୍ରଚାରପ୍ରସାର ସହିତ କଳାକାରକୁ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ। କଳାକାର ହେଉଛନ୍ତି ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣୀ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶୁକ୍ରବାର ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ସୁଚନା ଭବନରେ ଆୟୋଜିତ ‘ଆମ ମାଟିର କଳା-୨୦୧୯’ ଉତ୍ସବରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି। ରୁମକୁ ଝୁମା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ୨ଟି ପର୍ଯ୍ୟାୟରେ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ, ପଶୁସମ୍ପଦ ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ପ୍ରଭାସ ସିଂ, କବି ହୁସେନ୍‌ ରବି ଗାନ୍ଧୀ, ଗୁରୁ ରାମହରି ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ କଳା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା ହେବା ସହ ଓଡ଼ିଶାର ବିଭିନ୍ନକ୍ଷେତ୍ରରେ କୃତୀତ୍ୱ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହିତ ଓଡ଼ିଆ ସ୍ବାଭିମାନ ପାଇଁ ଯେଉଁ ବୀରପୁତ୍ରମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମରଣିକା ‘ସ୍ଥାପନା’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବରଗଡ଼, ରାୟଗଡ଼ା, କଳାହାଣ୍ଡି, ସମ୍ବଲପୁର, ଦେବଗଡ, ଅନୁଗୁଳ, କଟରୁ ବହୁ କଳାକାର ପାରମ୍ପରିକ ନୃତ୍ୟସଙ୍ଗୀତ ପରିବେଷଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share