ଡ. ସନ୍ତୋଷ କୁମାର ମହାପାତ୍ର
ନିକଟରେ ଦିଲ୍ଲୀରେ ଓଡ଼ିଶାର ପର୍ବ ତିନିଦିନ ଧରି (ମାର୍ଚ୍ଚ ୨୪-୨୬ ପର୍ଯ୍ୟନ୍ତ) ମହା ଆଡ଼ମ୍ବରରେ ପାଳିତ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ, ଖାଦ୍ୟ, ଐତିହ୍ୟ, ଉତ୍କଳୀୟ ପରମ୍ପରା ଆଦିକୁ ଦିଲ୍ଲୀରେ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି। ଅୟୋଜକଙ୍କୁ ଏପରି ଭଲ କାର୍ଯ୍ୟ ପାଇଁ ଆମେ ଅଶେଷ ଧନ୍ୟବାଦ ଦେଉଛୁ। ଏହି ପର୍ବ ଉପଲକ୍ଷେ ଶେଷଦିନ ସ୍ବାବଲମ୍ବନ ବା ଆତ୍ମନିର୍ଭର ଓଡ଼ିଶା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଲେଖକଙ୍କୁ ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ୪ ଜଣକଙ୍କ ସହିତ ଆଲୋଚନାରେ ବକ୍ତବ୍ୟ ରଖିବାକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ କିଛି ଅନିବାର୍ଯ୍ୟ କାରଣବଶତଃ ଏହି ଲେଖକ ଶେଷ ମୁହୂର୍ତ୍ତରେ ଯାଇପାରିଲେ ନାହିଁ। ଏଣୁ ଏହି ଲେଖା ମାଧ୍ୟମରେ ଆମ ମତ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାପାଇଁ ପ୍ରୟାସ କରିଛୁ। ଓଡ଼ିଶାରେ ପ୍ରଚୁର ପ୍ରାକୃତିକ, ଖଣିଜ ସମ୍ପଦ, ବିସ୍ତୀର୍ଣ୍ଣ ସାମୁଦ୍ରିକ ବେଳାଭୂମି, ପର୍ଯ୍ୟଟନ କ୍ଷେତ୍ର ଥାଇ ମଧ୍ୟ ଏହି ରାଜ୍ୟ ଯେତିକି ବିକାଶ କରିବା କଥା କରିନାହିଁ। ଏବେ ବି ଆମେ ମାଛ, ଆଳୁ, ପିଆଜ, ଅଣ୍ଡା ଆଦି ବିଭିନ୍ନ ଦ୍ରବ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଅନେକ ଶୀତଳଭଣ୍ଡାର ଅଚଳ ହୋଇଛି। ଏହି କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ହେବା ଉଚିତ। ବିଭିନ୍ନ ସୂଚକାଙ୍କରେ ହାରାହାରି ଜାତୀୟ ସ୍ତରଠାରୁ ଆଗରେ ରହିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।
କିନ୍ତୁ ପ୍ରଥମେ ଆତ୍ମନିର୍ଭରଶୀଳତା କହିଲେ କ’ଣ ଆଲୋଚନା କରିବା ଉଚିତ। ଯଦିଓ ଆମେ ଆତ୍ମନିର୍ଭରଶୀଳ ବା (ସେଲ୍ଫ ରିଲିଆଣ୍ଟ) ଓ ସ୍ବାବଲମ୍ବୀ (ସେଲ୍ଫ -ସଫିସିଏନ୍ସି) ବା ସ୍ବୟଂସମ୍ପୂର୍ଣ୍ଣତା ସମାନ ବୋଲି ଭାବିଥାନ୍ତି, ତଥାପି ଏଥିରେ କିଛି ପ୍ରଭେଦ ରହିଛି l ଆତ୍ମନିର୍ଭରଶୀଳତା କହିଲେ ଆତ୍ମପ୍ରତ୍ୟୟ, ସ୍ବାଧୀନ ଭାବେ ସିଦ୍ଧାନ୍ତ ନେଇପାରିବାର କ୍ଷମତା ରହିବା ବା ନିଜ ନିଷ୍ପତ୍ତି ଉପରେ ନିୟନ୍ତ୍ରଣ ରହିବା, ନିଜ ଦକ୍ଷତା, ପ୍ରତିଭା ଉପରେ ଦୃଢ଼ ବିଶ୍ୱାସ ସୃଷ୍ଟି ହେବା। କିନ୍ତୁ ସ୍ବୟଂସମ୍ପୂର୍ଣ୍ଣତା କହିଲେ ବ୍ୟକ୍ତି, ରାଜ୍ୟ ବା ଦେଶର ଆବଶ୍ୟକତା ଯଥା ବିଭିନ୍ନ ଦ୍ରବ୍ୟ ଓ ସେବାର ଚାହିଦା ପୂରଣ କରିବା, ଯାହା ସମ୍ବଳର ବିନିଯୋଗ ସହିତ ଜଡ଼ିତ। ସ୍ବୟଂସମ୍ପୂର୍ଣ୍ଣତା ବଜାୟ ରଖିବା ପାଇଁ ବିକାଶ ନିରନ୍ତର ହେବା ଆବଶ୍ୟକ।
ଆତ୍ମନିର୍ଭର କହିଲେ ନୁହେଁ ସମ୍ପୂର୍ଣ୍ଣ ଏକାକୀ ସବୁ କରିପାରିବା ବା କୌଣସି ଦେଶ ଅନ୍ୟ ଦେଶ କିମ୍ବା ରାଜ୍ୟ ଉପରେ ଆଦୌ ନିର୍ଭର ନ କରିବା। କାରଣ ବିଶ୍ୱବ୍ୟବସ୍ଥାରେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। କିନ୍ତୁ ଆତ୍ମନିର୍ଭର କହିଲେ ଏମିତି ସ୍ଥିତିରେ ରହିବା ଯେପରି ଆମେ ଅନ୍ୟ ଉପରେ କେତେକ କ୍ଷେତ୍ରରେ ବା ଦ୍ରବ୍ୟ ଓ ସେବା ପାଇଁ ଯେତିକି ନିର୍ଭରଶୀଳ ହୋଇଥିବା, ଅନ୍ୟମାନେ ଆମ ଉପରେ ବିଭିନ୍ନ କ୍ଷେତ୍ରରେ ବା ବିଭିନ୍ନ ଦ୍ରବ୍ୟ ଓ ସେବା ପାଇଁ ଅଧିକ ନିର୍ଭରଶୀଳ ହୋଇଥିବେ। ୨୦୨୦ରେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତର ସ୍ଲୋଗାନ ଦେଇଥିଲେ। ଏହାର ବିଭିନ୍ନ ଲକ୍ଷ୍ୟ ମଧ୍ୟରୁ ଏକ ଲକ୍ଷ୍ୟ ଥିଲା ଆମର ରପ୍ତାନି ବୃଦ୍ଧି କରି ଆମଦାନୀ ହ୍ରାସ କରିବା ଏବଂ ବିଶେଷକରି ଏହା ଚାଇନା କ୍ଷେତ୍ରରେ ଅଧିକ ଲାଗୁକରିବା। କିନ୍ତୁ ଆଜିପର୍ଯ୍ୟନ୍ତ କୌଣସି ଲକ୍ଷ୍ୟ ପୂରଣ ହୋଇନାହିଁ; ବରଂ ଚାଇନାରୁ ଆମେ ଆହୁରି ଅଧିକ ଆମଦାନୀ କରୁଛେ। ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ନିମ୍ନରେ ରହିଛି ଏବଂ ଆହୁରି ନିମ୍ନଗାମୀ ହେଉଛି।
ଓଡ଼ିଶା ପରି କୌଣସି ରାଜ୍ୟ ସମ୍ପର୍କରେ ଆଲୋଚନା କଲେ ତାହାକୁ ମଧ୍ୟ ଅନ୍ୟ ରାଜ୍ୟ ସହିତ ତୁଳନା କରିବା ଉଚିତ। ଗଣମାଧ୍ୟମରେ ତାହା କରାଯାଉ ନାହିଁ। ଯେତେବେଳେ ଓଡ଼ିଶା ଉନ୍ନତି କରିବାକୁ ପ୍ରୟାସ କରୁଛି, ଅନ୍ୟ ରାଜ୍ୟ ମଧ୍ୟ ଚେଷ୍ଟା କରୁଛନ୍ତି। ପୁନଶ୍ଚ ବିକାଶ କେବଳ ସରକାର ନୁହେଁ, ବିଭିନ୍ନ ଫାକ୍ଟର ଇଣ୍ଡୋମେଣ୍ଟ ଉପରେ ନିର୍ଭର କରେ। ପ୍ରାକୃତିକ ବିପର୍ଯ୍ୟୟର କୁପ୍ରଭାବ ରହିଛି। ରାଜ୍ୟ ଜିଡିପି ଦୃଷ୍ଟିରୁ ଓଡ଼ିଶା ୨୬ ସ୍ଥାନରେ ରହିଲାବେଳେ, ମହାରାଷ୍ଟ୍ର ୧ ନମ୍ବରରେ ରହିଛି। ତା’ ପଛକୁ ତାମିଲନାଡୁ, ଗୁଜରାଟ, କର୍ନାଟକ, ଉତ୍ତରପ୍ରଦେଶ ରହିଛନ୍ତି। ଅବଶ୍ୟ ଏହି ମାନଦଣ୍ଡରେ ତୁଳନା କରାଯାଇ ପାରିବ ନାହିଁ, କାରଣ ରାଜ୍ୟ ବଡ଼ ଓ ଜନସଂଖ୍ୟା ବେଶି ହେଲେ ଜିଡିପି ମଧ୍ୟ ଅଧିକ ହେବ, ଯେପରି ଭାରତ ୫ମ ବୃହତ୍ ଅର୍ଥନୀତି ହୋଇଛି। କିନ୍ତୁ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଓଡ଼ିଶା ୨୪ ସ୍ଥାନରେ ରହିବା ଚିନ୍ତାଜନକ। ଏହି କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ଆବଶ୍ୟକ। ଅବଶ୍ୟ ଓଡ଼ିଶା ଉନ୍ନତି କରୁଛି। ଜାତୀୟ ହାରଠାରୁ ଯେତିକି କମ୍ ଆଗରୁ ଥିଲା, ତାହା ହ୍ରାସ ପାଇଛି।
ଅବଶ୍ୟ ବିକାଶ ଅର୍ଥ କେବଳ ଜିଡିପି ବୃଦ୍ଧି ନୁହେଁ, ଜୀବନର ଗୁଣାତ୍ମକ ବିକାଶ ଯାହା ବିଭିନ୍ନ ସୂଚକାଙ୍କରୁ ଜଣାପଡ଼ିଥାଏ। ୨୦୧୯ରେ ମାନବିକ ଉନ୍ନୟନ ସୂଚକାଙ୍କରେ ଓଡ଼ିଶା ୩୫ ସ୍ଥାନରେ ଥିଲାବେଳେ ୨୦୨୧ରେ ଉନ୍ନତି ଘଟି ୨୬ ସ୍ଥାନରେ ପହଞ୍ଚତ୍ଛି। କେରଳ ଶୀର୍ଷରେ ଥିଲାବେଳେ ତା’ ପଛକୁ ଗୋଆ, ଚଣ୍ଡିଗଡ଼, ଦିଲ୍ଲୀ, ପୁଡୁଚେରୀ ରହିଛି। ଉତ୍ତରପ୍ରଦେଶ ୩୨ତମ ସ୍ଥାନରେ ରହିଛି। ସେହିପରି ନୀତି ଆୟୋଗଙ୍କ ସ୍ବାସ୍ଥ୍ୟ ସୂଚକାଙ୍କ ୨୦୨୧ରେ ବୃହତ୍ ୧୯ଟି ରାଜ୍ୟ ମଧ୍ୟରେ ଓଡ଼ିଶା ୧୭ତମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ ସବା ତଳେ ବା ୧୯ତମ ସ୍ଥାନରେ ରହିଛି। କେରଳ ଶୀର୍ଷରେ ଥିଲାବେଳେ ତା’ ପଛକୁ ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର, ଗୁଜରାଟ ଓ ପଞ୍ଜାବ ରହିଛନ୍ତି।
ନିରନ୍ତର ବିକାଶ ଦୃଷ୍ଟିରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ୨୭ ତମ ସ୍ଥାନରେ ରହିଛି। ଜଳବାୟୁ କାର୍ଯ୍ୟ ଏବଂ ଜଳ ତଳେ ଜୀବନ ଲକ୍ଷ୍ୟ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଆଗରୁ ବିହାର ପରେ ଓଡ଼ିଶା ସବୁଠାରୁ ଗରିବ ରାଜ୍ୟ ଥିଲା। ନୀତି ଆୟୋଗଙ୍କ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ-୨୦୨୧ ଅନୁସାରେ ଆହୁରି ୭ଟି ରାଜ୍ୟ ଓଡ଼ିଶାଠାରୁ ଅଧିକ ଗରିବ l କେରଳରେ ଦାରିଦ୍ର୍ୟ ହାର ସର୍ବନିମ୍ନ ଓ ତା’ ପଛକୁ ରହିଛି ଗୋଆ, ସିକ୍କିମ, ତାମିଲନାଡୁ ଏବଂ ପଞ୍ଜାବ। ଉତ୍ତରପ୍ରଦେଶ ତୃିତୀୟ ସର୍ବାଧିକ ଗରିବ ରାଜ୍ୟ। କିନ୍ତୁ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶା ଭାରତରେ ସର୍ବାଗ୍ରେ ରହିଛି। ଏଠି ପ୍ରଶ୍ନ ନୁହେଁ ବାମ ବା ଦକ୍ଷିଣପନ୍ଥୀ, ଯଦି ତଥ୍ୟକୁ ଭିତ୍ତିକରି ବିକାଶ ପାଇଁ କେଉଁ ରାଜ୍ୟକୁ କିଛି ଅନୁକରଣ କରିବା ଉଚିତ, ତେବେ କେରଳ ଓ ଦିଲ୍ଲୀକୁ ବିଚାରକୁ ନେବା ବାଞ୍ଛନୀୟ l ଦିଲ୍ଲୀକୁ ଆମେ ବିଚାରକୁ ନେଇଛୁ କାରଣ ଏହା ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ବିନିଯୋଗ କରୁଛି। ଯଦି କେଉଁ ରାଜ୍ୟର ମଡେଲ ଆଦୌ ଅନୁକରଣୀୟ ନୁହେଁ ତାହା ହେଉଛି ବିହାର ଓ ଉତ୍ତରପ୍ରଦେଶ।
ମୋ: ୯୪୩୭୨୦୮୭୬୨