ଆରମ୍ଭ ହେବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା,୮।୬: ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ନେଇ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ବୁଧବାର କୁବେର ଟିଲା ମନ୍ଦିରରେ ରୀତିନୀତି ଅନୁସାରେ ରୁଦ୍ରାଭିଷେକ ସମାରୋହ ଆୟୋଜନ କରାଯିବା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। କିନ୍ତୁ ଏହି ସମାରୋହରେ ସୀମିତ ସଂଖ୍ୟାରେ ଲୋକ ସାମିଲ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ବହୁ ଆଡ଼ମ୍ବରରେ ଭୂମିପୂଜା ସମାରୋହ ଆୟୋଜନ ପାଇଁ ଯୋଜନା କରାଯାଇଥିଲା। କିନ୍ତୁ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ଯୋଜନାକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ରହିଛି। ଏନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ମୁଖପାତ୍ର ମହନ୍ତ କମଳ ନୟନ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନ୍ଦିର ନିର୍ମାଣ କାର୍ଯ୍ୟ ଜୁନ ୧୦ରେ ରୁଦ୍ରାଭିଷେକ ପରେ ଆରମ୍ଭ ହେବ। ସୂଚନାଯୋଗ୍ୟ, କରୋନା ଲକ୍‌ଡାଉନ ଯୋଗୁ ସବୁ ମନ୍ଦିର ବନ୍ଦ ରହିଥିବା ବେଳେ ଦୀର୍ଘ ୭୭ଦିନ ପରେ ରାମ ଜନ୍ମଭୂମିରେ ଥିବା ଅସ୍ଥାୟୀ ମନ୍ଦିରମାନ ସୋମବାର ଖୋଲିଛି। ସକାଳ ୮ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲିଯିବ ବୋଲି ସୂଚନା ମିଳିଛି। ଏହି ସମୟରେ ଭକ୍ତମାନେ ଭଗବାନ ରାମଙ୍କ ଆରାଧନା କରିପାରିବେ। ହେଲେ ଏଥିପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ କେତେକ ଗାଇଡ୍‌ଲାଇନ୍ସ ଜାରି କରାଯାଇଛି।

Share