ଆରମ୍ଭ ହେବ ‘ଜେଲ୍‌ ରେଡିଓ’: ଜେଲ ଅନ୍ତେବାସୀ ହେବେ ରେଡିଓ ଜକି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଅନ୍ୟ ରାଜ୍ୟ ପରି ଓଡିଶାର ବିଭିନ୍ନ ଜେଲ୍‌ରେ ରହୁଥିବା ଅନ୍ତେବାସୀମାନେ ରେଡିଓ ଜକି (ଆର୍‌ଜେ) ହୋଇ ଶୁଣାଇବେ ନିଜ ମନର କଥା। ଲୋକେ ଶୁଣିବେ ସେମାନଙ୍କ ଜୀବନର କାହାଣୀ। ଏଥିପାଇଁ ଆରମ୍ଭ ହେବ ‘ଜେଲ୍‌ ରେଡିଓ’। ପ୍ରାଥମିକ ପର୍ଯ୍ୟାୟରେ ଝାରପଡ଼ା ଓ ଚୌଦ୍ୱାର ଜେଲରେ ଏଥିପାଇଁ ସ୍ବତନ୍ତ୍ର ଷ୍ଟୁଡିଓ ସ୍ଥାପନ ହେବ। ଜେଲ୍‌ ରେଡିଓରୁ ଅନ୍ତେବାସୀଙ୍କ ପାଖରୁ ଭାସି ଆସିବ ମନୋରଞ୍ଜନ ସାଙ୍ଗକୁ ଜୀବନ ଧର୍ମୀ କାଯର୍‌ୟକ୍ରମର ସ୍ବର। ନିଜ ମନୋରଞ୍ଜନ କରିବା ସହ ରେଡିଓ ଷ୍ଟୁଡିଓରେ ଆର୍‌ଜେ ସାଜି ଲୋକଙ୍କୁ ମନୋରଞ୍ଜନ କରିବେ। ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ଅନେକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପୁଣେ ୟେର୍‌ଓ୍ବାଡ଼ା ସେଣ୍ଟ୍ରାଲ୍‌ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବାବେଳେ ଅଭିନେତା ସଞ୍ଜୟ ଦତ୍ତ ଯେଉଁଭଳି ଆର୍‌ଜେ ସାଜି କଏଦୀଙ୍କ ମନୋରଞ୍ଜନ କରୁଥିଲେ ଠିକ୍‌ ଏଭଳି ଏକ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯିବ। ଫଳରେ ଜେଲ ଅନ୍ତେବାସୀ ଅନ୍ୟମାନଙ୍କଠାରୁ ନିଜକୁ ଭିନ୍ନ ମନେକରିବେ ନାହିଁ। ଏଥିସହ ଆଲୋଚନା ମାଧ୍ୟମରେ ଉତ୍ତମ ଶିକ୍ଷା ମଧ୍ୟ ଦିଆଯିବ। ଏହାଦ୍ୱାରା ସେମାନଙ୍କର ଜୀବନର ଗତିପଥ ବଦଳିବା ସହ ନିଜକୁ ପରିବର୍ତ୍ତନ କରି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇ ସ୍ବାଭାବିକ ଜୀବନ ବିତାଇବାରେ ସହଜ ହେବ ବୋଲି ଜେଲ୍‌ ବିଭାଗ ଡିଜି ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ପୂର୍ବରୁ ଏପରି ବ୍ୟବସ୍ଥା ୟେର୍‌ଓ୍ବାଡ଼ା, ତିହାର ଓ ତେଲେଙ୍ଗାନା ଜେଲରେ ରହିଛି। ଏଫ୍‌ଏମ୍‌ ରେଡିଓ ମାଧ୍ୟମରେ କଏଦୀମାନେ ମନୋରଞ୍ଜନ କରୁଛନ୍ତି। ତେଣୁ ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ଏହାକୁ ଆରମ୍ଭ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଉଭୟ ଝାରପଡ଼ା ଓ ଚୌଦ୍ୱାର ଜେଲରେ ଏଥିପାଇଁ ୩୦ରୁ ଅଧିକ ସିସିଟିଭି ସହ ସମସ୍ତ ୱାର୍ଡରେ ଅଡିଓ ସିଷ୍ଟମ୍‌ ଲାଗିବ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜେଲ୍‌ ରେଡିଓ କାର୍ଯ୍ୟକ୍ଷମ ହେବାର ଯୋଜନାର ରହିଛି ବୋଲି ମହାନ୍ତି ସୂଚନା ଦେଇଛନ୍ତି। ଏହି ନୂଆ କାର୍ଯ୍ୟକ୍ରମ କଏଦୀଙ୍କ ମାନସିକ ପରିବର୍ତ୍ତନରେ ପ୍ରଭାବୀ ଭୂମିକା ନେବ ବୋଲି ମନସ୍ତତ୍ତ୍ୱବିତ୍‌ମାନେ ଆଶା ପୋଷଣ କରିଛନ୍ତି।

Share