ଆରମ୍ଭ ହେଲା ଅଦଳବଦଳ ପ୍ରକ୍ରିୟା: ନନ୍ଦନକାନନ ଆସିଲେ ୩ ନୂଆ ଅତିଥି

ବାରଙ୍ଗ,୮ା୮(ଡି.ଏନ୍‌.ଏ.): ଚଳିତବର୍ଷର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଆରମ୍ଭ ହୋଇଛି। ଅଗଷ୍ଟ ମାସରେ ୩ଟି ପର୍ଯ୍ୟାୟରେ ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ପ୍ରଥମ ପର୍ଯ୍ୟାୟକୁ ଛାଡି ଦ୍ୱିତୀୟ ପର୍ଯ୍ୟାୟ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ୩ ନୂଆ ଅତିଥି ଆସିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଗତ ୨ ତାରିଖରେ ନନ୍ଦନକାନନର ଏକ ଟିମ୍‌ ମଧ୍ୟପ୍ରଦେଶ ଯାଇଥିଲା। ଏହି ଟିମ୍‌ ମଧ୍ୟପ୍ରଦେଶ ଇନଡୋର ଚିଡିଆଖାନାରୁ ଗୋଟିଏ ମାଈ ଧୂସର ଗଧିଆ ଓ ଦୁଇଟି କୋକିଶିଆଳି ନେଇ ବୁଧବାର ରାତିରେ ନନ୍ଦନକାନନରେ ପହଞ୍ଚତ୍ଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ୩ ପ୍ରାଣୀଙ୍କୁ ଡାକ୍ତରଖାନାର କ୍ୱାରେଣ୍ଟଟାଇନରେ ରଖାଯାଇଛି। ନୂଆ ଅତିଥି ଆସିବାପରେ ନନ୍ଦନକାନନରେ ଗୋଟିଏ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଜଣେ ସାଥିହରା ସାଥି ପାଇବାକୁ ଯାଉଛି। କୋକିଶିଆଳି ନନ୍ଦନକାନନ ପାଇଁ ନୂଆ ପ୍ରଜାତି ସାଜିଥିବାବେଳେ ଆଗରୁ ହଳେ ଧୂସର ଗଧିଆ ୨୯ ସେପ୍ଟେମ୍ବର ୨୦୧୮ରେ ମହୀଶୂରରୁ ଅଦଳବଦଳ ପ୍ରକ୍ରିୟାରେ ଏଠାକୁ ଆସିଥିଲା। ଆସିବାର ସାଢେ ୫ମାସ ପରେ ମାଈ ଧୂସର ଗଧିଆଟି ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ଅଣ୍ଡିରା ଧୂସର ଗଧିଆଟି ଡାକ୍ତରଖାନାରେ ନିଃସଙ୍ଗ ଜୀବନ ଜିଇବାକୁ ଆରମ୍ଭ କରିଥିଲା। ନୂଆ ଅତିଥି ଆସିବାପରେ ଗଧିଆମାନଙ୍କ ବଂଶବୃଦ୍ଧି ହେବାର ଆଶା ରଖାଯାଇଛି। ଆରମ୍ଭ ହୋଇଥିବା ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ୨ଟି ଜଳହସ୍ତୀ ଦେବାକୁ ପଡିବ। ତେବେ ପ୍ରଥମ ପର୍ଯ୍ୟାୟରେ ମହୀଶୂରରୁ ଜିରାଫ ଆଣିବା ପାଇଁ ଏସିଏଫ ଅଞନ କୁମାର ମହାନ୍ତି ଓ ଡା.ଆଲୋକ କୁମାର ଦାସଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ ଅଗଷ୍ଟ ୧ରେ ଫ୍ଲାଇଟ ଯୋଗେ ମହୀଶୂର ଯାଇ ସେଠାରେ ଜିରାଫ ବାଛି ୪ ତାରିଖରେ ଫେରିଥିଲେ। ତେବେ ମହୀଶୂରରୁ ଏକ ଟିମ ବଛାଯାଇଥିବା ଜିରାଫକୁ ସାଙ୍ଗରେ ନେଇ ନନ୍ଦନକାନନ ଅଭିମୁଖେ ମଙ୍ଗଳବାର ଯାତ୍ରା ଆରମ୍ଭ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡିଛି। ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ୨ ତାରିଖରେ ରେଞ୍ଜ ଅଫିସର କୁମର ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଦଳ ୨ ଗାଡି ନେଇ ମଧ୍ୟପ୍ରଦେଶର ଇନ୍‌ଡୋର ଚିଡିଆଖାନା ଅଭିମୁଖେ ବାହାରିଥିଲେ। ୪ ତାରିଖରେ ଏହି ଟିମ ସେଠାରେ ପହଞ୍ଚତ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନାକରି ବାଛିକରି ୩ ଅତିଥିଙ୍କୁ ସାଙ୍ଗରେ ଧରି ଆସିଥିଲେ।

Share