Categories: ବାଣିଜ୍ୟ

ଆରମ୍ଭ ହେଲା ଏମ୍‌ପିସି ବୈଠକ;ରେପୋ ହାର ହ୍ରାସ ଆଶାରେ ଶିଳ୍ପ ଜଗତ

ନୂଆଦିଲ୍ଲୀ,୬-୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଏହା ଚଳିତ ଆର୍ଥତ୍କ ବର୍ଷର ତୃତୀୟ ଦ୍ୱିମାସିକ ସମୀକ୍ଷା ବୈଠକ। ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହାର ଅଭିବୃଦ୍ଧି ଲାଗି ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ କମାଇବା ନେଇ ବଜାରର ଆଶା ରହିଛି। ପୂର୍ବର ୩ ଏମ୍‌ପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ କମାଇଛି। ଚଳିତ ମାସ ୫ରୁ ୭ ତାରିଖ ଯାଏ ଏହି ବୈଠକ ବସୁଥିବା ବେଳେ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ତର୍ଜମା ହେବ। ଅଗଷ୍ଟ ୭ ପୂର୍ବାହ୍ନ ୧୧.୪୫ ସମୟରେ ରିଜର୍ଭ ବ୍ୟାଙ୍କ ଓ୍ବେବସାଇଟରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।
ଘରୋଇ ବଜାରରେ ନଗଦ ସମସ୍ୟା ଲାଗି ରହିଛି। ରେପୋ ହାର ହ୍ରାସ ବାଦ ନଗଦ ସମସ୍ୟା ସମାଧାନ ଦିଗରେ ଏମ୍‌ପିସି ସଦସ୍ୟମାନେ ବିଚାର କରିବେ ବୋଲି ଶିଳ୍ପ ଜଗତ ଆଶା ରଖିଛି। ସେହିଭଳି ସୁଧହାର ହ୍ରାସର ଲାଭ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ପ୍ରଦାନ କରିବା ଉପରେ ଶିଳ୍ପ ମତ ରଖିଛି। ରେପୋ ହାର ହ୍ରାସ ସମ୍ପର୍କରେ ନିଜର ମତ ରଖି ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏମ୍‌ଡି ତଥା ସିଇଓ ରାଜକିରଣ ରାୟ ଜି କହିଛନ୍ତି, ଏମ୍‌ପିସି ୨୫ ବେସିସ ପଏଣ୍ଟ ସୁଧହାର ହ୍ରାସ କରିିପାରେ। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ଏଭଳି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ସୁଧହାର ହ୍ରାସ ଦିଗରେ ଏମ୍‌ପିସି ପଦକ୍ଷେପ ନେବ ବୋଲି ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।
ଶିଳ୍ପ ସଂଘ କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଏକ ବିବୃତ୍ତିରେ କହିଛି, ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେଉଛି। ମୁଦ୍ରାସ୍ଫୀତିକୁ ୪%ରୁ ନିମ୍ନରେ ରଖିବା ଆର୍‌ବିଆଇର ଲକ୍ଷ୍ୟ। ସୁଧହାର ହ୍ରାସ କରାଯାଉଥିଲେ ମଧ୍ୟ ଏଣ୍ଡ କଞ୍ଜ୍ୟୁମରଙ୍କୁ ଠିକ୍‌ ଭାବେ ଏହାର ଲାଭ ମିଳୁ ନାହିଁ। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖାଯିବା ଆବଶ୍ୟକ। ସେହିଭଳି ରିଜର୍ଭ ବ୍ୟାଙ୍କ କ୍ୟାଶ ରିଜର୍ଭ ରେସିଓ(ସିଆର୍‌ଆର୍‌) ୫୦ ବେସିସ ପଏଣ୍ଟ କମ୍‌ କରିବା ଆବଶ୍ୟକ। ସେହିଭଳି କୋଟାକ ମହିନ୍ଦ୍ରା ବ୍ୟାଙ୍କର ଖାଉଟି ବ୍ୟାଙ୍କିଙ୍ଗ ସଭାପତି ଶାନ୍ତି ଏକମ୍ବାରମ ୨୫% ରେପୋ ହ୍ରାସ ହେବ ବୋଲି କହିଛନ୍ତି।

Share