ଆରମ୍ଭ ହେଲା ଦେବଗଡ ପୌରାଞ୍ଚଳରେ ସାନିଟାଇଜ କାର୍ଯ୍ୟକ୍ରମ

ଦେବଗଡ, ୯ା୪(ଡି.ଏନ.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ବୁଧବାର ଦେବଗଡ ପୌର ପରିଷଦ ପକ୍ଷରୁ ଅଗ୍ନିଶମ ବାହିନୀ ସହାୟତାରେ ପୌରାଞ୍ଚଳର ମୁଖ୍ୟ ଅଞ୍ଚଳଗୁଡିକୁ ଜୀବାଣୁ ମୁକ୍ତ କରିବା ପାଇଁ ଔଷଧ ବିଶୋଧକ କେମିକାଲ ମିଶ୍ରିତ ଜଳ ସିଞ୍ଚନ କରାଯାଇ ସାନିଟାଇଜ କରାଯାଇଥିଲା। ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ ବିଭାଗୀୟ କର୍ମଚାରୀଙ୍କ ସହ ଦମକଳ ସହାୟତାରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡଠାରୁ ପୁରୁଣା ପୋଷ୍ଟ ଅଫିସ ଛକ, ପୁରୁଣା ପୋଷ୍ଟ ଅଫିସ ଛକଠାରୁ ଗୋପବନ୍ଧୁ ଛକ, ଗୋପବନ୍ଧୁ ଛକଠାରୁ ବିଦ୍ୟୁତ୍‌ ସବଷ୍ଟେସନ, ଦୈନିକ ପରିବା ବଜାର ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଛକ ଆଦି ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା। ଏହି ଅବସରରେ ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଧାନ ଓ ପୌର କର୍ମଚାରୀ ମାନଙ୍କ ସମେତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପୌରାଞ୍ଚଳରେ ୧୧ଟି ଯାକ ୱାର୍ଡରେ ପର୍ଯ୍ୟାୟ କ୍ରମେ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରଧାନ ପ୍ରକାଶ କରିଛନ୍ତି।