ଆରମ୍ଭ ହେଲା ପ୍ରସିଦ୍ଧ ହରଗୌରୀ ଯାତ୍ରା

ସୋନପୁର,୧୪ା୧୦(ନି.ପ୍ର.) ପୂଜା ମଣ୍ଡପକୁ ଶନିବାର ବିଳମ୍ବିତ ରାତିରେ ଦେବୀ ଗୌରୀଙ୍କ ଆଗମନ ପରେ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଛି ପରମ୍ପରା ଓ ଦେବାଙ୍ଗ ସଂସ୍କୃତିର ମହାପାର୍ବଣ ପ୍ରସିଦ୍ଧ ହରଗୌରୀ ଯାତ୍ରା(ବୁଢୀମାଁ ଯାତ୍ରା)। ଜିଲାର ଇଷ୍ଟଦେବତା ସୁବର୍ଣ୍ଣମେରୁଙ୍କ ନିଜସ୍ବ ଜମିରୁ ଧାନ ଗଛକୁ ଗୌରୀ ରୂପରେ ବରଣ କରାଯାଇଥିଲା। ପୂଜାର୍ଚ୍ଚନା ପରେ ପରମ୍ପରା ଅନୁଯାୟୀ ବିରାଟ ପଟୁଆରରେ ଘଣ୍ଟ, ଶଙ୍ଖ, ଭେରୀ, ତୁରୀ ଓ ବିଭିନ୍ନ ବାଦ୍ୟ ସହ ଢେରାପଡାର ଯୁବକ ପ୍ରକାଶ ପାତ୍ର ଏକ ବଡ ଥାଳରେ ଦେବୀଙ୍କୁ ସ୍ଥାପନ କରି ମୁଣ୍ଡରେ ମା’ଙ୍କୁ ପରିକ୍ରମଣ କରିଥିଲେ। ଗୌରୀଙ୍କୁ ବୁଢୀମାଁ ମନ୍ଦିର ପ୍ରାଙ୍ଗଣରେ ଥିବା ପୂଜା ମଣ୍ଡପକୁ ଆଣିବା ସମୟରେ ସହରର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜ ଘର ସମ୍ମୁଖରେ କଳସ ଓ ଜାଗର ଜାଳି ଦେବୀଙ୍କୁ ସ୍ବାଗତ କରିଥିଲେ । ପୂଜା ମଣ୍ଡପରେ ଦେବୀ ଗୌରୀଙ୍କ ବିଜେ ପରେ ଆନୁଷ୍ଠାନିକ ଭାବରେ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ଢେରାପଡାର ସମସ୍ତ ସାହିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି। ରବିବାର କୁମାର ପୂର୍ଣ୍ଣିମା ଅବସରରେ ସାହିର ସମସ୍ତଙ୍କ ଘରୁ ମା’ଗୌରୀଙ୍କୁ ପ୍ରଥମ ଅର୍ଘ୍ୟ ସ୍ବରୂପ ପରମ୍ପରା ଅନୁଯାୟୀ ଖିରୀ ଓ ପିଠା ଭୋଗ ଲାଗି କରାଯାଇଥିଲା। ଏହି ଯାତ୍ରା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ଯାନିଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରାର ଏକ ବିଶେଷତ୍ୱ ରହିଛି। ଏହି ଯାତ୍ରାକୁ ଗୌରାମ୍ମା ସାମ୍ରାଲୁ ମଧ୍ୟ କୁହାଯାଏ । ଦକ୍ଷିଣ ଭାରତୀୟ ପରମ୍ପରାକୁ ବିଶ୍ୱାସ ରଖୁଥିବା ଦେବଙ୍ଗାଲୁ(ଢେରା) ସମ୍ପ୍ରଦାୟର ଜନସାଧାରଣ ଏହି ଯାତ୍ରାକୁ ଆୟୋଜନ କରିଥାନ୍ତି। ତେବେ ପ୍ରଥମେ ଅତି ସ୍ବଳ୍ପ ବଜେଟ୍‌ରେ ଆରମ୍ଭ ହୋଇ ଆସୁଥିବା ଏହି ଯାତ୍ରା ପାଳନ ପାଇଁ ଏବେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି।

Share