ଆରମ୍ଭ ହେଲା ରାଷ୍ଟ୍ରୀୟ ଡାକ ସପ୍ତାହ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବୁଧବାରଠାରୁ ‘ରାଷ୍ଟ୍ରୀୟ ଡାକ ସପ୍ତାହ’ ପାଳନ ଆରମ୍ଭ ହୋଇଛି। ୯ ଅକ୍ଟୋବର ‘ବିଶ୍ୱ ଡାକ ଦିବସ ପାଳନ’ ଅବସରରେ ପ୍ରଧାନ ଡାକପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ଡାକମଣ୍ଡଳର ରାଷ୍ଟ୍ରୀୟ ଡାକ ସପ୍ତାହ ପାଳନ ସମ୍ପର୍କରେ ସୂଚନା ଦିଆଯାଇଛି। ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଲା କହିଲେ, ରାୟଗଡା ଓ ରାଉରକେଲାରେ ନୂଆ ଡାକମଣ୍ଡଳ ପ୍ରତିଷ୍ଠା କରାଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ରାଜ୍ୟର ୭୫୩ ଆଇପିବି ସକ୍ଷମ ଗ୍ରାମ ପ୍ରତିଷ୍ଠା କରାଯାଇଛି। ‘ଫକୀରମୋହନ ମହାବିଦ୍ୟାଳୟ’ ଓ ‘ସମାଜ’ ସ୍ମରଣିକା ଡାକ ଟିକେଟ ଉନ୍ମୋଚିତ କରାଯାଇଛି। ଜୁଲାଇରେ ଭୁବନେଶ୍ୱରସ୍ଥିତ ରସୁଲଗଡ଼ରେ ପ୍ରଥମ ବିଦେଶ ଡାକଘର ଖୋଲାଯାଇଛି। ୨୦ ଲୋକ ସଭା ସଂସଦୀୟ କ୍ଷେତ୍ରର ସମସ୍ତ ମୁଖ୍ୟ ଡାକଘରେ ପାସପୋର୍ଟ ସେବା ମିଳୁଛି। ୪୭୩ ଡାକଘରେ ଆଧାର ପଞ୍ଜୀକରଣ ଓ ସଂଶୋଧନ କରାଯାଉଛି। ତା’ସହ ୧୯ ଡାକଘରେ ଇଣ୍ଡିଆ ପୋଷ୍ଟ୍‌ ପାସେଞ୍ଜର୍ସ ରିଜର୍ଭେଶନ ସିଷ୍ଟମ ସୁବିଧା ରହିଛି, ଯେଉଁଠାରେ ରେଳ ଟିକେଟ ବୁକ୍‌ କରିହେଉଛି। ଡାକ ସପ୍ତାହର ଗୁରୁବାରକୁ ବ୍ୟାଙ୍କିଙ୍ଗ ଦିବସ, ଶୁକ୍ରବାର ଡାକ ଜୀବନ ବୀମା ଦିବସ, ଶନିବାର ଫିଲାଟେଲି ଦିବସ, ସୋମବାର ବ୍ୟବସାୟ ବିକାଶ ଦିବସ ଓ ମଙ୍ଗଳବାରକୁ ଡାକ ଦିବସ ଭାବେ ପାଳନ କରାଯିବ ବୋଲି କାମିଲା କହିଛନ୍ତି।

Share