ଆରମ୍ଭ ହେଲା ସ୍ମାର୍ଟ କ୍ଲାସ୍‌ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୩।୭ – ଢେଙ୍କାନାଳ ଜିଲା ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ‘ସ୍ଲାର୍ଟ କ୍ଲାସ ପ୍ରକଳ୍ପ’। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଢେଙ୍କାନାଳ ରାଜ୍ୟର ପ୍ରଥମ ଜିଲା।
ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏହାର ଶୁଭାରମ୍ଭ କରିଥିଲେ। ‘ସ୍ମାର୍ଟ କ୍ଲାସ୍‌ ପ୍ରକଳ୍ପ’ ମାଧ୍ୟମରେ ଭିଡିଓଗ୍ରାଫି ଜରିଆରେ ହାଇସ୍କୁଲର ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଜିଲାର ୨୦ଟି ହାଇସ୍କୁଲକୁ ଏଥିରେ ସାମିଲ କରାଯାଇଛି।
ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଲେ, ବାଙ୍କା ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ପ୍ରକଳ୍ପ ବିହାର ରାଜ୍ୟରେ ପ୍ରଥମକରି କାର୍ଯ୍ୟକାରୀ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଢେଙ୍କାନାଳ ଜିଲାର ଶିକ୍ଷାରେ ବିକାଶ ଏବଂ ନୂତନତ୍ୱ ଆଣିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ଶିକ୍ଷା ବିଭାଗର ଅଧିକାରୀ ବାଙ୍କା ଜିଲା ଗସ୍ତ କରି ଏହି ପ୍ରକଳ୍ପର ଅନୁଧ୍ୟାନ କରିଥିଲେ। ସେଠାରୁ ଫେରିବା ପରେ ପରୀକ୍ଷାମୂଳକ ଭାବେ ଏହାକୁ ଢେଙ୍କାନାଳରେ ଆରମ୍ଭ କରାଯାଇଛି।
ଏହି ପ୍ରଳଳ୍ପ କାର୍ଯ୍ୟକାରୀ ହୋଇଥିବା ହାଇସ୍କୁଲରେ ପ୍ରତି ସପ୍ତାହରେ ଗୋଟିଏ ପିରିୟଡ ଟେଲିଭିଜନ ଏବଂ ଭିଡ଼ିଓଗ୍ରାଫି ମାଧ୍ୟମରେ ପାଠପଢ଼ା ପାଇଁ ରଖାଯିବ। ଛାତ୍ରୀଛାତ୍ରମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେବେ। ଏହାଦ୍ୱାରା ସେମାନଙ୍କ ବୌଦ୍ଧିକ ବିକାଶ ହେବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି।
ପ୍ରକଳ୍ପ ପରିଚାଳନା ଦାୟିତ୍ୱରେ ଥିବା ‘ଉନ୍ନୟନ ଫାଉଣ୍ଡେଶନ’ ସଂସ୍ଥା ଅଧିକାରୀ ପ୍ରିୟଙ୍କା ଯାଦବ, ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର, ଜିଲାର ସମସ୍ତ ବ୍ଲକର ଶିକ୍ଷାଧିକାରୀ, ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ହାଇସ୍କୁଲର ପ୍ରଧାନଶିକ୍ଷକ, ବିଜ୍ଞାନ ଶିକ୍ଷକ ଉପସ୍ଥିତ ଥିଲେ।