Categories: ଜାତୀୟ

ଆରେ ଗଛକଟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ମେଟ୍ରୋ ଶେଡ୍‌ ପ୍ରକଳ୍ପ ବନ୍ଦ ହେବନି

ନୂଆଦିଲ୍ଲୀ,୨୨ା୧୦(ପି.ଟି.): ମୁମ୍ବାଇର ଆରେ କଲୋନିରେ ମେଟ୍ରୋ ଶେଡ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଉକ୍ତ କଲୋନିରେ ଗଛକଟାକୁ ବିରୋଧକରି ସର୍ବୋଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଗଛକଟା ବନ୍ଦ ରଖିବାକୁ ଅଦାଲତ କହିବା ସହ ଆରେ କଲୋନିରେ କରାଯାଇଥିବା ଚାରା ରୋପଣ, ପ୍ରତିରୋପଣ ଓ ଗଛକଟାର ଫଟୋ ସହ ସ୍ଥିତାବସ୍ଥା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ହାଜର ହୋଇ ଆରେ କଲୋନିରେ ଆଉ ଗଛ କଟାଯାଉନାହିଁ ଓ କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥିତାବସ୍ଥା ଜାରି ରହିଛି ବୋଲି କହିଥିଲେ। ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବରକୁ ଧାର୍ଯ୍ୟ କରିଛନ୍ତି।
ମେଟ୍ରୋ କାର୍‌ ଶେଡ୍‌ ନିର୍ମାଣ ଲାଗି ଆରେ କଲୋନିରୁ ୨୬୦୦ରୁ ଊର୍ଦ୍ଧ୍ୱ ଗଛ କାଟିବା ଲାଗି ବିଏମ୍‌ସି ନିଷ୍ପତ୍ତି ନେଇଥିଲା। ଏହା ଜଙ୍ଗଲ ନୁହେଁ ବୋଲି ବମ୍ବେ ହାଇକୋର୍ଟ କହିବା ସହ ବିଏମ୍‌ସି ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ମନା କରିଦେଇଥିଲେ। ଏହା ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ହସ୍ତକ୍ଷେପ କରିବା ଲାଗି ଜଣେ ଛାତ୍ର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ପତ୍ର ଲେଖିବା ପରେ ସୁପ୍ରିମକୋର୍ଟ ଏହାକୁ ନିଜ ଆଡୁ ଜନସ୍ବାର୍ଥ ମାମଲା ଭାବେ ଗ୍ରହଣ କରି ଆରେ କଲୋନିରେ ସ୍ଥିତାବସ୍ଥା ଜାରି ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

Share