ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ହରିୟାଣାବାସୀ କଂଗ୍ରେସର ଅହଂକାରକୁ ମାଟିରେ ମିଶାଇ ଦେଇଛନ୍ତି। ଏବେ ସଶକ୍ତ ହରିୟାଣା ଓ ସଶକ୍ତ ହିନ୍ଦୁସ୍ତାନ ଗଢିବାକୁ ଆମେ ଶପଥ ନେଇଛୁ। ଆଉ ଏଥିପାଇଁ ହରିୟାଣାର ଯୁବକଙ୍କ ଭୂମିକା ଅତୁଳନୀୟ ବୋଲି ସେ କହିଛନ୍ତି। ଏମାନେ କୁସ୍ତି ଯୋଦ୍ଧାଙ୍କ ସହ ଲଢିଛନ୍ତି, ଆତଙ୍କବାଦୀଙ୍କ ସହ ଲଢି ଶହୀଦ ମଧ୍ୟ ହୋଇଛନ୍ତି। ତେଣୁ ସୋନିପଥର ଅର୍ଥ ହେଉଛି, ‘କୃଷକ, ଯବାନ ଓ ପହିଲମାନ’। ଅନୁଚ୍ଛେଦ ୩୭୦କୁ ନେଇ ସେ କହିଛନ୍ତି କଂଗ୍ରେସକୁ ନା ଭାରତର ଏକତାର ଚିନ୍ତା ଅଛି ନା ସମ୍ବିଧାନର ଚିନ୍ତା ଅଛି। ଏବେ ସ୍ବଚ୍ଛ ଭାରତ ଓ ସର୍ଜିକାଲ ଷ୍ଟ୍ରାଇକର ନାଁ ଶୁଣିଲେ କଂଗ୍ରେସର ପେଟରେ ପୀଡା ଆରମ୍ଭ ହୋଇଯାଉଛି। ଆଉ ବାଲାକୋଟ କଥା ଶୁଣିଲେ ଯନ୍ତ୍ରଣାରେ କଂଗ୍ରେସ ଡେଇଁ ପଡୁଛି ବୋଲି ମୋଦି କହିଛନ୍ତି। ତେଣୁ ଏବେ କଂଗ୍ରେସ ଯେଉଁ ରୋଗରେ ପୀଡିତ ହୋଇଛି ତାହା ଆରୋଗ୍ୟ ହେବା କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି। ଏବେ କଂଗ୍ରେସ ନେତାଙ୍କ ବୟାନକୁ ପାକିସ୍ତାନ ଆଧାର କରିଛି। ହେଲେ କଂଗ୍ରେସ ମୋଦିଙ୍କ ଉପରେ ଯେତେ ଅଭିଯୋଗ ଆଣୁଛି ଆଣୁ, ଯେତେ ବିରୋଧ କରୁଛି କରୁ, ଯେତେ ମିଛ କହୁଛି କହୁ ଯେ ପର୍ଯ୍ୟନ୍ତ ଜନତାଙ୍କ ଆଶୀର୍ବାଦ ରହିଛି ସେପର୍ଯ୍ୟନ୍ତ ମୋଦିଙ୍କୁ କିଛି ଚିନ୍ତା ନାହିଁ ବୋଲି ସେ କହିଛନ୍ତି। ମୋଦିଙ୍କୁ ଯାହା କହିବା କଥା କୁହ ହେଲେ ଅତିକମରେ ଭାରତ ମାତାର ମର୍ଯ୍ୟାଦା କଥା କଂଗ୍ରେସ ଥରେ ଚିନ୍ତା କରୁ ବୋଲି ମୋଦି ତାଙ୍କ ଉଦ୍‌ବୋଧନରେ କହିଛନ୍ତି।

Share