Categories: ଖେଳ

ଆର୍ଚେରୀ ବିଶ୍ୱକପ ଷ୍ଟେଜ୍‌-୩: ତୃତୀୟ ରାଉଣ୍ଡରେ ଦୀପିକା, ତରୁଣଦୀପ

ଆଣ୍ଟାଲ୍ୟା (ତୁର୍କୀ), ୨୩।୫(ପି.ଟି.)- ବୁଧବାର ଏଠାରେ ଆରମ୍ଭ ହୋଇଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୩ରେ ଦୀପିକା କୁମାରୀ ଓ ତରୁଣଦୀପ ରାୟଙ୍କ ସମେତ ୪ ଭାରତୀୟ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ରିକର୍ଭ ଇଣ୍ଡିଭିଜୁଆଲ ସେକ୍ସନରୁ ଅତନୁ ଦାସଙ୍କ ଅଭିଯାନ ଶେଷ ହୋଇଛି। ଯାତ୍ରା ଜନିତ ସମସ୍ୟା ଯୋଗୁ ମେଡେଲିନ୍‌ଠାରେ ବିଶ୍ୱକପ ଷ୍ଟେଜ-୧ରେ ଭାଗ ନେଇପାରି ନ ଥିବା ଭାରତୀୟ ଦଳ ଚଳିତ ସିଜନରେ ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣରେ କମ୍ପାଉଣ୍ଡ ବିଭାଗରୁ ପଦକ ଜିତିବା ସମ୍ଭାବନା ସୃଷ୍ଟି କରିଛନ୍ତି। ୩ୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ୨ ଭାରତୀୟ ହେଲେ ଅତୁଲ ବର୍ମା ଓ ରଜତ ଚୌହାନ।
୨୦୧୪ ୟୁଥ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ୨୧ ବର୍ଷୀୟ ଅତୁଲ ଏଠାରେ ପ୍ରଭାବୀ ପ୍ରଦର୍ଶନ କରି ଶାଙ୍ଘାଇ ବିଶ୍ୱକପ ଗୋଲ୍ଡ ମେଡାଲିଷ୍ଟ ଚାଇନିଜ୍‌ ତାଇପେର ଡେଙ୍ଗ୍‌ ୟୁଚେଙ୍ଗଙ୍କୁ ପରାସ୍ତ କରିଛନ୍ତି। ୨ ସେଟ୍‌ ସୁଦ୍ଧା ୦-୪ ପଏଣ୍ଟରେ ପଛୁଆ ରହିଥିବା ଅତୁଲ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ ସେଟ୍‌ ଜିତିବା ସହ ୫ମ ସେଟ୍‌କୁ ୨୮-୨୮ରେ ଟାଇ କରିଥିଲେ। ଶୁଟ୍‌-ଅଫ୍‌ରେ ଧୈର୍ଯ୍ୟର ପରିଚୟ ଦେଇ ସେ ୯-୮ ପଏଣ୍ଟରେ ପରାସ୍ତ କରିଥିଲେ। ୩ୟ ରାଉଣ୍ଡରେ ସେ ବିଶ୍ୱର ୨ ନମ୍ବର ଖେଳାଳି ନେଦରଲାଣ୍ଡ୍ସର ଷ୍ଟିଭ୍‌ ଓ୍ବିଜଲେରଙ୍କୁ ଭେଟିବେ। ପ୍ରଥମ ରାଉଣ୍ଡରେ ଅତୁଲ ମଙ୍ଗୋଲିଆର ଗାନ୍‌ଟୁଗ୍ସ ଜଣ୍ଟସନଙ୍କୁ ପରାସ୍ତ କରିଥିଲେ। ଅଲିମ୍ପିଆନ ତରୁଣଦୀପ ତୃତୀୟ ରାଉଣ୍ଡରେ ୧୭ ବର୍ଷୀୟ ଜାପାନର ଆଓସିମା ଟେସୁୟାଙ୍କୁ ଭେଟିବେ। ପ୍ରଥମ ୨ ରାଉଣ୍ଡରେ ଏହି ଆର୍ମିମ୍ୟାନ ଅଷ୍ଟ୍ରିଆର ଡୋମିନିକ ଇରାସ୍କଙ୍କୁ ୭-୩ ଓ ସ୍ଲୋଭେନିଆର ଗାସ୍ପର ଷ୍ଟ୍ରାଝରଙ୍କୁ ୬-୪ ପଏଣ୍ଟରେ ପରାସ୍ତ କରିଥିଲେ। ଭାରତର ନମ୍ବରଓ୍ବାନ ରିକର୍ଭ ଆର୍ଚର ଅତନୁ ଦାସ ଦ୍ୱିତୀୟ ରାଉଣ୍ଡରେ ମେକ୍ସିକୋର କାର୍ଲୋସ ରୋଜାସଙ୍କଠାରୁ ୩-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ପୂର୍ବତନ ନମ୍ବରଓ୍ବାନ ଦୀପିକା ପ୍ରଥମ ରାଉଣ୍ଡରେ କିର୍ଗିଜସ୍ତାନର ଜିବେକ କାନାଟବେକ୍‌ କିଜି ଜିବେକଙ୍କୁ ୬-୦ ଓ ଦ୍ୱିତୀୟ ରାଉଣ୍ଡରେ ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ୪୫ ବର୍ଷୀୟା ଖାତୁନା ଲୋରିଗ୍‌ଙ୍କୁ ୬-୫(୯-୭) ପଏଣ୍ଟରେ ପରାସ୍ତ କରିଥିଲେ।

Share