ବୁଏନ୍ସ ଏରିଜ,୨୨।୫- ଆସନ୍ତା ଜୁନ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା କୋପା ଆମେରିକା ପ୍ରତିଯୋଗିତା ଲାଗି ଘୋଷିତ ୨୩ ଜଣିଆ ଆର୍ଜେଣ୍ଟିନା ଦଳରେ ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସି ଓ ସେର୍ଗିଓ ଆଗୁରୋ ସ୍ଥାନ ପାଇଛନ୍ତି। ପ୍ୟାରିସ ସେଣ୍ଟ ଜର୍ମେନ ଓ୍ବିଙ୍ଗର ଆଙ୍ଗେଲ ଡି ମାରିଆଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। କିନ୍ତୁ ଚେଲସି ଷ୍ଟ୍ରାଇକର ଗୋଞ୍ଜାଲୋ ହିଗୁଆଇନଙ୍କୁ ଅଣଦେଖା କରାଯାଇଛି। ବଡ଼ ଟୁର୍ନାମେଣ୍ଟ ଲାଗି ଏମାନେ ଜାତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ବୋଲି ମୁଖ୍ୟ କୋଚ୍ ଲିଓନେଲ ସ୍କଲନି କହିଛନ୍ତି। ଗ୍ରୁପ୍-ବି’ରେ ଆର୍ଜେଣ୍ଟିନା ସହ କଲମ୍ବିଆ, ପାରାଗୁଏ ଓ ଏସିଆନ୍ ଚାମ୍ପିୟନ ତଥା ୨୦୨୨ ବିଶ୍ୱକପ୍ ଆୟୋଜକ କତାର ରହିଛି। ମେସି ଗତ ମାର୍ଚ୍ଚରେ ଜାତୀୟ ଦଳକୁ ଫେରିଥିଲେ। ବିଶ୍ୱକପ୍ରେ ଫ୍ରାନ୍ସଠାରୁ ୪-୩ ବ୍ୟବଧାନରେ ଆର୍ଜେଣ୍ଟିନା ପରାସ୍ତ ହେବା ପରେ ମେସି ଓ ଆଗୁରୋ ୮ ମାସ ଜାତୀୟ ଦଳରୁ ବିରତି ନେଇଥିଲେ।