ନୂଆଦିଲ୍ଲୀ,୯ା୭: ବଲିଉଡ୍ ଫିଲ୍ମ ‘ଆର୍ଟିକିଲ୍ ୧୫’ର ପ୍ରମାଣପତ୍ର ବାତିଲ ଲାଗି ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜଷ୍ଟିସ ଏସ୍.ଏ. ବୋବ୍ଡେ ଏବଂ ବି.ଆର. ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି, ଫିଲ୍ମର ଟାଇଟଲ୍ ପରିବର୍ତ୍ତନ ଏବଂ ଏହାର ସ୍କ୍ରିନିଂ ନିଷିଦ୍ଧ ଲାଗି ଆବେଦନକାରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବେଦନ କରନ୍ତୁ। ଆବେଦନକାରୀ ଆଡଭୋକେଟ୍ ରମଜାନ୍ ଦ୍ୱିବେଦୀ ଦର୍ଶାଇଛନ୍ତି, ଫିଲ୍ମ ନିର୍ମାତା ବ୍ୟବସାୟିକ ଫାଇଦା ପାଇଁ ‘ଆର୍ଟିକିଲ ୧୫’ ଟାଇଟଲ୍ ବ୍ୟବହାର କରିପାରିବେ ନାହିଁ। ଜାତୀୟ ଚିହ୍ନ ଓ ନାମ ବ୍ୟବହାର କରିବାରେ ଯେଉଁ କଟକଣା ରହିଛି, ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ୍ (ସିବିଏଫ୍ସି) ତାହାକୁ ବିଚାରକୁ ନ ନେଇ ଉକ୍ତ ଫିଲ୍ମକୁ ସାର୍ଟିଫିକେଟ ମଞ୍ଜୁର କରିବା ତ୍ରୁଟିପୂର୍ଣ୍ଣ।