ଆର୍ଥିକ ଅନଟନ : ନାତିକୁ ବିକିଲେ ଆଈ

ସୋନପୁର,୧୯ା୭(ନି.ପ୍ର.): ଆର୍ଥିକ ଅନଟନ ଯୋଗୁ ଆଈ ନିଜର ୧ ବର୍ଷର ନାତିକୁ ଝିଅଠାରୁ ଅଲଗା କରି ଅନ୍ୟତ୍ର ବିକ୍ରି କରିବାକୁ ପଛାଇ ନାହାନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ଥାନା ବିଶାଲପାଲିରେ ଏଭଳି ଘଟଣା ଘଟିଛି। ଶିଶୁପୁତ୍ର ବିକ୍ରି ହୋଇଥିବା ନେଇ ଶିଶୁର ମା’ ସସ୍ମିତା କୁମ୍ଭାର(୨୨) ବିନିକା ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ସେ ଅସୁସ୍ଥ ଥିବା ସମୟରେ ତାଙ୍କ ମା, ତଥା ଶିଶୁର ଆଈ ଜୟନ୍ତୀ ଜଗଦଲା(୪୭) ଶିଶୁକୁ ବିକ୍ରି କରିଛନ୍ତି। ଗତ ୨ମାସ ପୂର୍ବରୁ ଶିଶୁ ବିକ୍ରି ହୋଇଛି। ଏଥିରେ ଜୟନ୍ତୀଙ୍କୁ ସ୍ଥାନୀୟ ବଲାରଙ୍ଗା ଅଞ୍ଚଳର ଦଶରଥ ସୁନା ସହଯୋଗ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ବିନିକା ପୋଲିସ ତଦନ୍ତ ଆରମ୍ଭ କରିଛି। ଜୟନ୍ତୀଙ୍କୁ ପଚରାଉଚୁରା ସମୟରେ ଝିଅ ସସ୍ମିତାଙ୍କ ଜାଣତରେ ରାୟଗଡା ଜିଲାରେ ଶିଶୁକୁ ବିକ୍ରି କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ତେବେ ପୋଲିସ ଜୟନ୍ତୀଙ୍କୁ ଥାନାରୁ ଛାଡି ଦେଇଛି ।
ସସ୍ମିତା ନୂଆପଡା ଜିଲା ବାଞ୍ଜିବାହାଲରେ ବିବାହ କରିଥିଲେ। ସ୍ବାମୀଙ୍କର ମୃତ୍ୟୁ ହେବାରୁ ମା’ଙ୍କ ସହିତ ବିଶାଲପାଲିରେ ରହି ସେ ରାଇସ୍‌ ମିଲ୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମଜୁରି ଟଙ୍କାରେ ଝିଅ ଆରୁଷୀ(୫) ଓ ପୁଅ ଅମନ(୧)ଙ୍କୁ ପ୍ରତିପୋଷଣ କରୁଥିଲେ। ତେବେ ଦେହ ଖରାପ ହେବାରୁ ସେ ଆଉ କାମ କରିବାକୁ ଯାଇ ପାରୁ ନ ଥିଲେ। ଏହି ସୁଯୋଗରେ ସେ ଘରେ ଶୋଇଥିବା ସମୟରେ ଜୟନ୍ତୀ ନାତିକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ପୋଲିସ ଏହି ଘଟଣାକୁ ହାଲୁକା ଭାବେ ନେବା ସହିତ ତଦନ୍ତ ଚାଲିଥିବା ଆଳରେ ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହିଁ।