ଆର୍ଥତ୍କ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦ

ପ୍ରକାଶ ତ୍ରିପାଠୀ

ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ପାଳନ କରାଯାଏ। ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ଥିବା ପ୍ରତ୍ୟେକ ସଂଗଠନ ଓ ସମ୍ପ୍ରଦାୟ ପକ୍ଷରୁ ବିଶ୍ୱବ୍ୟାପୀ ଏହି ଦିବସ ଖୁବ୍‌ ସମାରୋହରେ ପାଳିତ ହୁଏ। କୋଟି କୋଟି ବିଶ୍ୱବାସୀଙ୍କୁ ଖାଦ୍ୟ ଯୋଗାଉ ଥିବା ଏକ ବିଶାଳ ଉତ୍ସ ସମୁଦ୍ରର ଗୁରୁତ୍ୱକୁ ଉପଲବ୍ଧି କରିବା ତଥା ବିଗତ ବର୍ଷର ମାଛଧରା କାର୍ଯ୍ୟକ୍ରମର ପୋଷଣୀୟ ପରିଚାଳନା କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ ବର୍ଷ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବିଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଏବଂ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ଏହି ଦିବସର ପାଳନ ଏକ ଯଥାର୍ଥ ପଦକ୍ଷେପ।
ପୃଥିବୀରେ ଜୀବନ ସର୍ଜନା ଆରମ୍ଭରୁ ମତ୍ସ୍ୟ ସମ୍ପଦର ଉପସ୍ଥିତିକୁ ଉଭୟ ଜୀବ ବିଜ୍ଞାନୀ ଓ ଭଗବତବିଶ୍ୱାସୀମାନେ ଗ୍ରହଣ କରନ୍ତି। ମାଛ ଏକ ସୁଷମ, ପୁଷ୍ଟିକର, ସହଜ ଉପଲବ୍ଧ ଓ ସ୍ବାଦଯୁକ୍ତ ହୋଇଥିବାରୁ ଏବେ ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ଶହେ କୋଟିରୁ ଊର୍ଦ୍ଧ୍ୱ । ବାର୍ଷିକ ୧୦୦ ନିୟୁତ ଟନ ମାଛ ଖାଦ୍ୟ ଭାବେ ବ୍ୟବହୃତ ହୁଏ। ପ୍ରତ୍ୟେକ ବିକାଶଶୀଳ ଦେଶଗୁଡିକର ପ୍ରଗତି ପଛରେ ମତ୍ସ୍ୟସମ୍ପଦର ଭୂମିକା ଉଲ୍ଲେଖନୀୟ। ବିଶ୍ୱରେ ଆବଶ୍ୟକ ପଡୁଥିବା ଡାଏଟାରୀ ପ୍ରୋଟିନର ଶତକଡା ୨୫ଭାଗ କେବଳ ମାଛ ହିଁ ଭରଣା କରିଥାଏ। ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ମତ୍ସ୍ୟ ଉତ୍ପାଦନରେ ବର୍ତ୍ତମାନ ବିଶ୍ୱରେ ଭାରତର ସ୍ଥାନ ତୃତୀୟ ଓ ଜଳକୃଷିରେ ଦ୍ୱିତୀୟ। ମତ୍ସ୍ୟ ସମ୍ପଦ ୧୪୫ ନିୟୁତ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି। ଦେଶର ମୋଟ ଘରୋଇ ଉତ୍ପାଦନ (ଜିଡିପି) ରେ ଏହାର ଅବଦାନ ଶତକଡା ୧.୦୭ ଓ ବାର୍ଷିକ ରପ୍ତାନି ୩୩୪୯୯କୋଟି ଟଙ୍କାକୁ ଟପି ଗଲାଣି। ଭାରତୀୟ କୃଷିର ୫.୩ ଭାଗ ଅଧିକୃତ କରିଥିବା ମତ୍ସ୍ୟ ସମ୍ପଦ ଦେଶର ଖାଦ୍ୟ ନିରାପତ୍ତା ଯୋଗାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟିକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୮୦୦୦ କିଲୋମିଟର ଉପକୂଳ ଏବଂ ଦୁଇ ନିୟୁତ ବର୍ଗକିଲୋମିଟରର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ସୃଷ୍ଟିକରିଛି ଅଭିବୃଦ୍ଧିର ଅନେକ ଆଶା। ଏହା ସହ ୧୯୭୦୨୪ କିଲୋମିଟର ନଦୀ ଓ କେନାଲ, ୩.୧୫ ନିୟୁତ ହେକ୍ଟର ପରିମିତ ଜଳଭଣ୍ଡାର, ୨୩୫ ନିୟୁତ ହେକ୍ଟର ପୋଖରୀ,୧.୨୪ ନିୟୁତ ହେକ୍ଟର ଖାରି ପାଣି ଅଞ୍ଚଳ, ୦.୨୯ ନିୟୁତ ହେକ୍ଟର ନଦୀ ମୁହଁାଣ ଓ ୧.୩ ନିୟୁତ ହେକ୍ଟର ପରିମିତ ଛୋଟ ବଡ ହ୍ରଦ ଭାରତର ମତ୍ସ୍ୟ ସମ୍ପଦକୁ କରିଛି ଉନ୍ନତ। ବାର୍ଷିକ ୧୩ ନିୟୁତ ଟନ ମାଛ ଉତ୍ପାଦନ କରୁଥିବା ଭାରତ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାକୁ ୨୦ ନିୟୁତ ଟନକୁ ବୃଦ୍ଧିକରିବା ପାଇଁ ପ୍ରସ୍ତାବ ରହିଛି ଓ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଭାରତର ଅନ୍ୟତମ ଉପକୂଳ ରାଜ୍ୟଭାବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ମଧ୍ୟ ଏକ ଅଗ୍ରଣୀ ରାଜ୍ୟ। ୬.୮୫ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର ଖାରିଜଳ କ୍ଷେତ୍ର, ୪୮୦ କିଲୋମିଟର ଉପକୂଳ କ୍ଷେତ୍ରର ଜଳ ସମ୍ପଦରୁ ବାର୍ଷିକ ୮.୧୬ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ କରିବାକୁ ସକ୍ଷମ ହେଉଛି ଓଡ଼ିଶା।
ବିଶ୍ୱ ମତ୍ସ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଶ୍ୱରେ ଥିବା ପ୍ରାକୃତିକ ଜଲଉତ୍ସ ଯଥା ସମୁଦ୍ର, ମଧୁର ଜଳ ଓ ଖାରିଜଳରେ ଥିବା ମତ୍ସ୍ୟ ସମ୍ପଦର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା। ବ୍ୟାପକ ମତ୍ସ୍ୟ ଚାଷ ସତ୍ତ୍ୱେ ବି ପ୍ରାକୃତିକ ଜଲଉତ୍ସରୁ ମାଛ ଧରାଯାଇ ଚାହିଦା ପୂରଣ କରାଯାଉଥିବାରୁ ପ୍ରାକୃତିକ ଜଲଉତ୍ସଗୁଡିକର ପୋଷଣୀୟ ପରିଚାଳନାର ଆବଶ୍ୟକତା ରହିଛି। ସମୁଦ୍ର, ନଦୀ, ହ୍ରଦ, ନଦୀମୁହଁାଣ,ଆର୍ଦ୍ର ଭୂମି, କୋରାଲ ରିଫ ଉପରେ ଆଗାମୀ ଦିନରେ ଅଧିକ ଚାପ ରହିବ। ଏହାରି ଉପରେ ହିଁ ନିୟୁତ ନିୟୁତ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକା ନିର୍ଭର କରିଥାଏ। ଏହି ପ୍ରାକୃତିକ ଜଳଉତ୍ସର ନ୍ୟାୟସଙ୍ଗତ ଓ ପୋଷଣୀୟ ପରିଚାଳନାର ପ୍ରସଙ୍ଗ ଆଲୋଚନା ବେଳକୁ ସାଧାରଣତଃ ଏହି ବର୍ଗଙ୍କୁ ଉପେକ୍ଷା କରାଯାଇଥାଏ। ପ୍ରାକୃତିକ ଜଳଉତ୍ସର ମତ୍ସ୍ୟ ସମ୍ପଦର ସୁପରିଚାଳନା ତଥା ଏହାର ବଂଶବୃଦ୍ଧି ଓ ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ବର୍ତ୍ତମାନ ବିଶ୍ୱ ମତ୍ସ୍ୟ ନୀତିର ବ୍ୟାପକ ପରିବର୍ତ୍ତନ ଆବଶ୍ୟକ – ଏହା ହିଁ ବିଶ୍ୱ ମତ୍ସ୍ୟ ଦିବସର ମୁଖ୍ୟ ଆହ୍ବାନ।
ବିଶ୍ୱର ପ୍ରତି ଦଶଜଣରେ ଜଣେ ମଣିଷ ନିଜ ପରିବାର ଭରଣପୋଷଣ ପାଇଁ ଜଳକୃଷି ତଥା ମତ୍ସ୍ୟ ସମ୍ପଦ ଉପରେ ନିର୍ଭର କରିଥାଏ। ମତ୍ସ୍ୟ କ୍ଷେତ୍ରରେ ଧରାଯାଉଥିବା ମାଛର ବଂଶବୃଦ୍ଧି ତଥା ପୋଷଣୀୟ ପରିବେଶ ସୃଷ୍ଟି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସହ ଏହି କ୍ଷେତ୍ରରେ ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀଙ୍କ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି, ସେମାନଙ୍କ ରୋଜଗାର ଓ ଜୀବିକା ସୁନିଶ୍ଚିତ ପାଇଁ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଉଭୟ ପ୍ରାକୃତିକ ଜଳଉତ୍ସ, ମତ୍ସ୍ୟ ସମ୍ପଦ, ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷା ପାଇଁ ସଚେତନତା ତଥା ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଏ। ଶୋଭାଯାତ୍ରା, ସଭା, କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟ ସମ୍ପଦର ଗୁରୁତ୍ୱକୁ ପ୍ରତିପାଦନ କରାଯାଇଥାଏ। ବିଶ୍ୱ ମତ୍ସ୍ୟ ଦିବସ ପାଳନ କେବଳ ମତ୍ସ୍ୟ ଉତ୍ସ, ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ଆଲୋକପାତ କରିବାରେ ସୀମିତ ନୁହେଁ, ମତ୍ସ୍ୟ ବିବିଧତାର ପରିମାଣ ଦ୍ୱାରା ଜଳଉତ୍ସର ମାନ ବି ନିର୍ଦ୍ଧାରଣ କରାଯିବା ଉଚିତ। ଜଳବାୟୁ ପରିବର୍ତ୍ତନ, ଜଳ ପ୍ରଦୂଷଣ ଯୋଗୁ ନଦୀ, ହ୍ରଦ ଓ ସମୁଦ୍ରରେ ମାଛଙ୍କ ଗଣମୃତ୍ୟୁ ଗତ କିଛିବର୍ଷ ହେବ ସୂଚିତ କରେ ଯେ, ମାଛ ବସତି ଅଞ୍ଚଳଗୁଡିକର ମାନ ଠିକ ନାହିଁ। ଯଦି ଏହାପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭବିଷ୍ୟତରେ ବିଶ୍ୱ ଏକ ଗୁରୁତର ଖାଦ୍ୟସଙ୍କଟ ଦିଗକୁ ମୁହାଁଇବ। ବିଶେଷ କରି ଶିଳ୍ପ କ୍ଷେତ୍ର, କୃଷିକ୍ଷେତ୍ର, ଘରୋଇ ତଥା ସହରର ବର୍ଜ୍ୟଜଳ ନିଷ୍କାସନ ତଥା ତୈଳ ଓ ପ୍ଲାଷ୍ଟିକ ଯୋଗୁ ଉପକୂଳ ସମୁଦ୍ରର ଜଳ ବହୁ ମାତ୍ରାରେ ପ୍ରଦୂଷିତ ହେଉଛି । ମାଛ ବଂଶ ପ୍ରତି ଏହା ସଙ୍କଟ ସୃଷ୍ଟି କରୁଛି। ମାଛ ଉତ୍ପାଦନ ବାଧାପ୍ରପ୍ତ ହେବା ସହ ମତ୍ସ୍ୟଜୀବୀଙ୍କ ଜୀବିକା ବି ଏହା ଦ୍ୱାରା ପ୍ରଭାବିତ ହେଉଛି। ଫଳରେ ମାଛ ଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ବହୁଦୂର ଗଭୀର ସମୁଦ୍ର ଉପରେ ନିର୍ଭର କରିବାକୁ ପଡୁଛି।
ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟା ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସମୁଦ୍ର ଉପରେ ଚାପ ବଢୁଛି। ଆବଶ୍ୟକତାଠାରୁ ଅଧିକ ମାଛ ଧରାହେଉଛି। ସମୁଦ୍ରରୁ ଅତି ନିମ୍ନ ସ୍ତରରୁ ବା ବଟମ ଟ୍ରଲିଙ୍ଗ ଦ୍ୱାରା ବେଆଇନ ମାଛଧରା ବି ମାଛ ବଂଶ ହ୍ରାସର ଏକ ପ୍ରମୁଖ କାରଣ। ମିଳିତ ଜାତିସଂଘ ତଥ୍ୟ ଅନୁଯାୟୀ ସମୁଦ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ଜଳଉତ୍ସ ଗୁଡିକର ଦୁଇତୃତୀୟାଂଶରେ ମାତ୍ରାଧିକ ମାଛ ଧରାଯାଉଛି। ଏକ ତୃତୀୟାଂଶ ଅଞ୍ଚଳରେ ପ୍ରଦୂଷଣ, ବିଶ୍ୱ ତାପାୟନ ଓ ଅସ୍ବାସ୍ଥ୍ୟକର ମାଛ ବସତି ଅଞ୍ଚଳ ଯୋଗୁ ମାଛ ବଂଶବୃଦ୍ଧି ଆଶାନୁରୂପ ହୋଇପାରୁନାହିଁ। ଏଣୁ ମତ୍ସ୍ୟ ବିବିଧତା, ମାଛ ବସତି ଅଞ୍ଚଳର ସୁରକ୍ଷା, ସାମୁଦ୍ରିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ। ଯୁକ୍ତରାଷ୍ଟ୍ର ଆମେରିକାର ପଶିମ ଉପକୂଳର ୨୭୩୯ ବର୍ଗ କିଲୋମିଟର ସାମୁଦ୍ରିକ ଅଞ୍ଚଳକୁ ୨୦୧୧ରେ ମାଛଧରା ନିଷେଧ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ୨୦୧୮ରେ ସେହି ଅଞ୍ଚଳରେ ମାଛ ବଂଶ ଆଶାତୀତ ଭାବେ ବୃଦ୍ଧି ପାଇବା ପରେ ସେଠାରେ ମାଛ ମାରିବାକୁ ଅନୁମତି ମିଳିଛି। ଏବେ ୧୩୬୦୦୦ ମାଇଲ ଅଞ୍ଚଳକୁ ସଂରକ୍ଷିତ ଘୋଷଣା କରାଯାଇଛି। ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଓଡ଼ିଶା ଉପକୂଳରେ ପ୍ରତିବର୍ଷ ମାଛଧରା କଟକଣା ଲାଗୁ କରାଯାଏ। ଏଥିପାଇଁ କ୍ଷତି ସହୁଥିବା ମତ୍ସ୍ୟଜୀବୀଙ୍କୁ ସରକାର ଜୀବିକା ସହାୟତା ପ୍ରଦାନ କରୁଛନ୍ତି। ମାଛବଂଶ ବୃଦ୍ଧିପାଇଁ ପ୍ରଜନନ ସମୟରେ ମାଛଧରା ଉପରେ କଟକଣା ଲାଗୁ କରାଯାଉଛି। ଜଳଭଣ୍ଡାରଗୁଡିକରେ ଉନ୍ନତ ମାଛ ଯାଁଳ ଛଡାଯିବା ସହ ମାଛ ଉତ୍ପାଦନ ବୃଦ୍ଧି ଓ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାରମାନଙ୍କର ଆର୍ଥିକ ବିକାଶ ଉପରେ ପଦକ୍ଷେପ ନିଆଯାଉଛି। ଫଳରେ ଓଡ଼ିଶାରେ ଥିବା ୧୩୮ ଗୋଟି ଜଳଭଣ୍ଡାରର ଦୁଇ ଲକ୍ଷ ହେକ୍ଟର ପରିମିତ ଅଞ୍ଚଳ କେବଳ ଜଳସେଚନ ପାଇଁ ବ୍ୟବହୃତ ହୋଇ ଆସୁଥିବା ଓ ମାଛ ବଂଶ ଲୋପ ପାଇ ଆସୁଥିଲା ବେଳେ ଏବେ ଏଠାରେ ମାଛ ଯାଁଳ ଛଡ଼ାଯାଇ ମାଛବଂଶ ବୃଦ୍ଧି ସହ ଉତ୍ପାଦନ ବି ସମ୍ଭବ ହୋଇପାରିଛି।
ମହିଳାମାନଙ୍କ ଆର୍ଥିକ ବିକାଶ ଘଟାଇବା ସହ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧିକରିବା ଲକ୍ଷ୍ୟରେ ରାଜ୍ୟରେ ଥିବା ଗ୍ରାମ ପଞ୍ଚୟତ ପୋଖରୀଗୁଡିକୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦୀର୍ଘ ମିଆଦୀ ସୂତ୍ରରେ ଲିଜ ଦିଆଯାଇ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ପ୍ରାଥମିକ ମତ୍ସ୍ୟ ସମବାୟ ସମିତିଗୁଡିକୁ ପୁନଃକ୍ଷମ କରିବା ତଥା ଏହାର ସଭ୍ୟା-ସଭ୍ୟମାନଙ୍କ ଆର୍ଥିକ ବିକାଶ ଲକ୍ଷ୍ୟରେ ଦୁଇ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ତଥା ରାଜ୍ୟର ବିଭିନ୍ନ କଲ୍ୟାଣମୂଳକ ଯୋଜନା ମାଧ୍ୟମରେ ମାଛଚାଷରେ ରିହାତି, ନୂତନ ପୋଖରୀ ଖନନ, ଭିତ୍ତିଭୂମିର ବିକାଶ, ଉନ୍ନତ ଜ୍ଞାନ କୌଶଳ ଯୁକ୍ତ ମାଛ ଚାଷ ପାଇଁ ପ୍ରୋତ୍ସାହନ ଓ ତାଲିମ ପ୍ରଦାନ, ମାଛ ଚାଷରେ ବ୍ୟବହୃତ ଉପକରଣ ପ୍ରଦାନ, ସେମାନଙ୍କ ପିଲାମାନଙ୍କ ପାଠପଢା ପାଇଁ ମେଧାବୃତ୍ତି ପ୍ରଦାନ, ସେମାନଙ୍କ ପରିବାରକୁ ବିମାଭୁକ୍ତ କରିବା ଆଦି କାର୍ଯ୍ୟକ୍ରମ ମାଛ ଚାଷ ପ୍ରତି ସାଧାରଣରେ ଆଗ୍ରହ ବୃଦ୍ଧି କରୁଛି। ଜଳସମ୍ପଦ, ମତ୍ସ୍ୟସମ୍ପଦ, ମତ୍ସ୍ୟ ବିବିଧତା ସୁରକ୍ଷା ସହ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷ, ସଂଗଠନ, ଉଦ୍ୟୋଗୀଙ୍କ ବିକାଶକୁ ମଧ୍ୟ ଦୃଷ୍ଟି ଦିଆଯାଇ ପାରିଲେ ବିଶ୍ୱ ମତ୍ସ୍ୟଦିବସ ପାଳନ ଯଥାର୍ଥ ହୋଇପାରିବ।
ମୋ-୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri