Categories: ବାଣିଜ୍ୟ

ଆର୍ଥତ୍କ ପ୍ୟାକେଜକୁ ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ,୧୪।୬: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସିଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ଆତ୍ମନିର୍ଭର ଭାରତ ପ୍ୟାକେଜ କୁହାଯାଉଥିବା ବେଳେ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଏହି ପ୍ୟାକେଜକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ଅସୀମା ଗୋୟଲ ପ୍ରଶ୍ନ ଉଠାଇଛନ୍ତି। ଆଶ୍ୱସ୍ତି ପ୍ୟାକେଜରେ ଆହୁରି ସୁଧାର ଆସିବା ଉପରେ ସେ ମତବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କୁ ବଜାର ଚାହିଦା ବଢ଼ାଇବାର ଆବଶ୍ୟକତା ରହିଛି। ସରକାର ଆଣିଥିବା ଆର୍ଥତ୍କ ପ୍ୟାକେଜ ସମ୍ପୂର୍ଣ୍ଣ ନୁହେଁ। ପ୍ୟାକେଜରେ ରହିଥିବା ସମସ୍ୟାକୁ ଦୂରକରି ଏହାକୁ ଉନ୍ନତ କରିବାର ଆବଶ୍ୟକତା ରହିଛି। ଗୋୟଲ ବର୍ତ୍ତମାନ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ପାର୍ଟ ଟାଇମ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ପ୍ୟାକେଜର ଅଧିକାଂଶ ଭାଗ ବିତ୍ତୀୟ କ୍ଷେତ୍ର ସହ ଜଡିତ ରହିଛି। ମାତ୍ର ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ଚାହିଦା ଏବଂ ଯୋଗାଣ ମଧ୍ୟରେ ତାଳମେଳର ଆବଶ୍ୟକତା ରହିଛି।
ସରକାର ଗତ ମାସରେ ୨୦.୯୭ ଲକ୍ଷ କୋଟି ଟଙ୍କାର ଏକ ଆଶ୍ୱସ୍ତି ପ୍ୟାକେଜ ଘୋଷଣା କରିଥିଲେ। ଏହା ମଧ୍ୟରେ କେବଳ ରିଜର୍ଭ ବ୍ୟାଙ୍କର ୮.୦୧ ଲକ୍ଷ କୋଟି ଟଙ୍କାର ରେପୋ ଅପରେଶନଶନ ସମେତ ଅନ୍ୟ ପଦକ୍ଷେପ ସାମିଲ ରହିଛି। ଅର୍ଥ ବ୍ୟବସ୍ଥାକୁ ଉଠାଇବା ଲାଗି ପଦକ୍ଷେପ ଉପରେ ଏକ ପ୍ରଶ୍ନର ଉତ୍ତରରେ ଗୋୟଲ କହିଛନ୍ତି ଯେ, କୋଭିଡ୍‌ ମହାମାରୀ ଏକ ଅସ୍ଥାୟୀ ଝଟକା। ମାନବ ସମ୍ବଳ ଠିକ୍‌ ରହିଲେ ବାସ୍ତବିକ ଝଟକା ପରେ ଅର୍ଥ ବ୍ୟବସ୍ଥାରେ ତୁରନ୍ତ ସୁଧାର ପରିଲକ୍ଷିତ ହେବ। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥା ୪.୨% ହାରରେ ଅଭିବୃଦ୍ଧି ହାସଲ କରିଛି। ଏହା ଗତ ୧୧ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ୨୦୨୦-୨୧ରେ ଜିଡିପି ପ୍ରାୟ ୩ରୁ ୫% ଖସିଯିବ ବୋଲି ଭିନ୍ନ ଭିନ୍ନ ଏଜେନ୍ସି ମତ ପ୍ରକାଶ କରିଛନ୍ତି।

Share