ଆର୍ଥାରାଇଟିସ୍‌ ଔଷଧ ଦ୍ୱାରା ସମ୍ଭବ କରୋନା ଚିକିତ୍ସା: ୪୮ ଘଣ୍ଟାରେ ହୋଇଥାଏ ଫଳପ୍ରଦ !

ଓ୍ବାଶିଂଟନ,୨୭।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। କରୋନା ମହାମାରୀର ଚିକିତ୍ସା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଆର୍ଥାରାଇଟିସ୍‌ ଔଷଧ ଦ୍ୱାରା କରୋନା ଚିକିତ୍ସା ସମ୍ଭବ। ଏନେଇ ସମ୍ପ୍ରତି ଆମେରିକାର ଜର୍ଜିଆ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଭୂତାଣୁ ବିଶେଷଜ୍ଞ ମୂଳ ଭାରତୀୟ ଡ. ମୁକେଶ କୁମାର ଏସମ୍ପର୍କରେ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ କ୍ଷେତ୍ରରେ ଆର୍ଥାରାଇଟିସ୍‌ ଔଷଧ ପ୍ରୟୋଗ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହିତ କରୋନା ଯୋଗୁ ସଂକ୍ରମିତ ହୋଇଥିବା ଗଳା ଏବଂ ଫୁସ୍‌ଫୁସ୍‌ କୋଷିକା ଶୀଘ୍ର ଭଲ ହୋଇଥାନ୍ତି। ଗତ ସପ୍ତାହରେ ଏହି ଗବେଷଣା ରିପୋର୍ଟ ପ୍ରକାଶିତ ହୋଇଛି। ଆର୍ଥାରାଇଟିସ୍‌ ପାଇଁ ବ୍ୟବହୃତ ହେଉଥିବା ଔଷଧ ଏରେନୋଫିନ୍‌ ୪୮ ଘଣ୍ଟାରେ ବେଶ୍‌ ଫଳପ୍ରଦ ହୋଇଥାଏ। ଏହାର ପ୍ରୟୋଗ ଏବେ ମଣିଷ ଏବଂ ପ୍ରାଣୀଙ୍କଠାରେ ଜାରି ରହିଥିବା ମୁକେଶ କୁମାର କହିଛନ୍ତି। ଏହାର ଚୂଡ଼ାନ୍ତ ଫଳାଫଳ ମିଳିବା ପାଇଁ ପ୍ରାୟ ୨ ମାସ ଲାଗିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମୁକେଶ କୁମାର ହରିୟାଣା ସିରସାର ବାସିନ୍ଦା। ସେ ମଧ୍ୟପ୍ରଦେଶର ମହୁସ୍ଥିତ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରୁ ଭୂତାଣୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଜର୍ଜିିଆରେ ଗବେଷଣା ଜାରି ରଖିଛନ୍ତି।

Share