Categories: ଜାତୀୟ

ଆର୍ଥିକ ପ୍ୟାକେଜର ତୃତୀୟ ପର୍ଯ୍ୟାୟରେ କୃଷିକୁ ଦିଆଗଲା ଗୁରୁତ୍ୱ

ନୂଆଦିଲ୍ଲୀ,୧୫।୫: କରୋନା ସଙ୍କଟ ସମୟରେ ବିଗିଡି ଯାଇଥିବା ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଘୋଷଣା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ଭଳା ସୀତାରାମଣ ଶୁକ୍ରବାର ଏହି ପ୍ୟାକେଜର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ପାଇଁ ୧୯୫୫ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ। ମହୁମାଛି ଚାଷର ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ୫୦୦ କୋଟି ଟଙ୍କାର ଯୋଜନା ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ୨ ଲକ୍ଷ ମହୁମାଛି ଚାଷୀ ଉପକୃତ ହେବେ ଏବଂ ସେମାନଙ୍କର ଆୟ ବୃଦ୍ଧି ପାଇବ। ସେହିପରି ହର୍ବାଲ ବା ଆୟୁର୍ବେଦୀୟ ଔଷଧୀୟ ବୃକ୍ଷଲତା ଚାଷ କରିବାକୁ ୪୦୦୦କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ। ୨ ବର୍ଷ ମଧ୍ୟରେ ୧୦ ହେକ୍ଟର ଜମିରେ ଏହା ଚାଷ କରାଯିବ। ପଶୁପାଳନର ଭିତ୍ତିଭୂମି ସୁଦୃଢ଼ କରିବାକୁ ୧୫ ହଜାର କୋଟି ଟଙ୍କାର ଫଣ୍ଡ ବଣ୍ଟାଯାଇଥିବା ସେ କହିଛନ୍ତି। ଯାହାର ଲାଭ କୃଷକମାନଙ୍କୁ ମିଳିବ। ନ୍ୟାଶନାଲ ଆନିମଲ ଡିଜିଜ କଣ୍ଟ୍ରୋଲ୍‌ ପ୍ରୋଗ୍ରାମ ଅଧିନରେ ଶହେ ପ୍ରତିଶତ ଗାଈ, ମଇଁଷି, ମେଣ୍ଢା, ଛେଳି ଆଦି ପଶୁଙ୍କ ଟୀକାକରଣ କରାଯିବ। ଏଥିରେ ମୋଟ ୧୩,୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗାମୀ ପାଞ୍ଚ ବର୍ଷରେ ୭୦ ଲକ୍ଷ ଟନ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୫୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ସେହିପରି ମାଇକ୍ରୋ ଫୁଡ ଏଣ୍ଟରପାଇପ୍ରାଇଜେସ ପାଇଁ ୧୦ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ। କୃଷିର ଭିତ୍ତିଭୂମି ବିକାଶ ପାଇଁ ସରକାର ୧ଲକ୍ଷ କୋଟି ଟଙ୍କା ଦେବେ ବୋଲଇ କହିଛନ୍ତି ଅର୍ଥମନ୍ତ୍ରୀ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଏମଏସଏମଇ,ପ୍ରବାସୀ ଶ୍ରମିକ ଓ କୃଷକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିସାରିଛନ୍ତି।

Share