Categories: ବାଣିଜ୍ୟ

ଆର୍ଥିକ ପ୍ୟାକେଜ ଦେବେନି ସରକାର

ନୂଆଦିଲ୍ଲୀ,୨୩-୮: ଦେଶର ଅର୍ଥନୀତି ଧିମା ହେବା କାରଣରୁ ଉଦ୍ୟୋଗ ଜଗତ ଏବେ ମାନ୍ଦାବସ୍ଥାର ଶିକାର ହୋଇଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଉଦ୍ୟୋଗ ଜଗତ ପକ୍ଷରୁ ଦାବି କରାଯାଇଛି। ତେବେ ସରକାର କୌଣସି ପ୍ରକାର ଆର୍ଥିକ ସହାୟତା ଘୋଷଣା କରିବେ ନାହିଁ ବୋଲି ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ କହିଛନ୍ତି। ଘରୋଇ କମ୍ପାନୀଗୁଡ଼ିକ ଲାଭକୁ ନିଜର ବୋଲି ଦର୍ଶାଉଥିବା ବେଳେ କ୍ଷତିକୁ ସାର୍ବଜନୀନ ବୋଲି ଦେଖାଇବା ଠିକ୍‌ ଅର୍ଥଶାସ୍ତ୍ର ନୁହେଁ ବୋଲି ସେ କହିଛନ୍ତି। ଏଣୁ ସେମାନେ ନିଜର ମାନସିକତା ବଦଳାନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ହିରୋ ମାଇଣ୍ଡମାଇନ ସମିଟ,୨୦୧୯ରେ ଉଦ୍‌ବୋଧନ ଦେଇ ସୁବ୍ରମଣ୍ୟନ କହିଛନ୍ତି ଯେ, ଉଦ୍ୟୋଗ ଜଗତ ଲାଗି ଭଲ ଓ ଖରାପ ସ୍ଥିତି ଦେଖାଯିବା ଏକ ସାଧାରଣ ବ୍ୟାପାର। ଖରାପ ସମୟରେ ଉଦ୍ୟୋଗ ଜଗତ ସରକାରଙ୍କ ଠାରୁ ସମର୍ଥନ ଆଶାକରିବା ନୈତିକ ରୂପରେ କ୍ଷତିକାରକ ପ୍ରମାଣିତ ହୋଇପାରେ। ଘରୋଇ କମ୍ପାନୀଗୁଡ଼ିକୁ ନିଜର ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ବୋଲି ସେ କହିଛନ୍ତି। ଏକ ଉଦାହରଣ ଛଳରେ ସେ କହିଛନ୍ତି ଯେ, ଜଣେ ୩୦ ବର୍ଷୀୟ ଯୁବକକୁ ନିଜ ଗୋଡରେ ଛିଡା ହେବାକୁ ପଡିବ। ସେହି ପ୍ରାପ୍ତବୟସ୍କ ବ୍ୟକ୍ତି କ୍ରମାଗତ ନିଜ ପିତାଙ୍କ ଠାରୁ ସହାୟତା ମାଗିବା ଉଚିତ ନୁହେଁ। ଏଣୁ ଏହି ମନୋଭାବକୁ ବଦଳାଇବାକୁ ହେବ। ଲାଭକୁ ସର୍ବଦା ନିଜ ଅଣ୍ଟିରେ ପୁରାଇବୁ ଏବଂ କ୍ଷତି ହେଲେ ସରକାରଙ୍କ ଉପରେ ବୋଝ ଲଦି ଦେବୁ, ଉଦ୍ୟୋଗ ଜଗତକୁ ଏଭଳି ମନୋଭାବ ଛାଡିବାକୁ ହେବ ବୋଲି ସେ କହିଛନ୍ତି। ଅର୍ଥନୀତି ସାମାନ୍ୟ ଧିମା ହୋଇଥିଲେ ସୁଦ୍ଧା ଭାରତ ଏବେ ମଧ୍ୟ ସାରା ବିଶ୍ୱରେ ଚମକୁଥିବା ଅର୍ଥନୀତି ହୋଇ ରହିଛି। କାରଣ ବିଶ୍ୱ ଅର୍ଥନୀତି ଏବେ ମାତ୍ର ୨ରୁ ୨.୫% ହାରରେ ଅଭିବୃଦ୍ଧି ହାସଲ କରୁଛି। ସୀମାଠାରୁ ଅଧିକ ନିରାଶାବାଦ୍‌ ଓ ଅବିବେକପୂର୍ଣ୍ଣ ଆଶାବାଦ୍‌ ଉଭୟ ଅତ୍ୟନ୍ତ ବିପଜ୍ଜନକ। ସେ କହିଛନ୍ତି ଯେ, ଅଟୋ ସେକ୍ଟର ଧିମା ହୋଇଯିବାର ଅର୍ଥ ନୁହେଁ ଯେ, ଦେଶର ଅର୍ଥନୀତି ମନ୍ଥର ହୋଇଛି। ଏଥିରେ ଯୋଗ ଦେଇଥିବା ପୂର୍ବତନ ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ, ବିଶ୍ୱ ସ୍ତରରେ ମାନ୍ଦାବସ୍ଥାର ଚିହ୍ନ ଦେଖାଯାଇନାହିଁ। ବାସ୍ତବରେ ଚଳିତ ବର୍ଷ ବିଶ୍ୱରେ ଆର୍ଥିକ ବୃଦ୍ଧି ହାର ୩-୪ ବର୍ଷର ହାରାହାରି ଠାରୁ ଅଧିକ ରହିବ।

Share