Categories: ଜାତୀୟ

ଆର୍ଥିକ ସର୍ଭେ ରିପୋର୍ଟ: ୨୦୨୫ ସୁଦ୍ଧା ୫ ଲକ୍ଷ କୋଟି ଅର୍ଥବ୍ୟବସ୍ଥା ଲକ୍ଷ୍ୟ

ନୂଆଦିଲ୍ଲୀ,୪।୭: ସଂସଦରେ ଶୁକ୍ରବାର ବଜେଟ୍‌ ଉପସ୍ଥାପନା କରାଯିବ। ତେବେ ଏହା ପୂର୍ବରୁ ଗୁରୁବାର ସରକାରଙ୍କ ପକ୍ଷରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଅନୁସାରେ ୨୦୧୯-୨୦ରେ ଦେଶର ଜିଡ଼ିପି ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବାର ଆଶା କରାଯାଉଛି। ୨୦୧୮-୧୯ରେ ରାଜକୋଷ କ୍ଷତି ପରିମାଣରେ ହ୍ରାସ ପରିଲକ୍ଷିତ ହୋଇଥିବାବେଳେ ଜିଡ଼ିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ଥିଲା। ଅପରପକ୍ଷରେ ଏହାର ପୂର୍ବ ବର୍ଷ ଏହା ୬.୪ ପ୍ରତିଶତ ଥିଲା। ସର୍ଭେ ରିପୋର୍ଟ ଅନୁସାରେ ୨୦୨୫ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଡଲାର  ଅର୍ଥବ୍ୟବସ୍ଥାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏଥିଲାଗି ଜିଡ଼ିପି ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବା ଅପରିହାର୍ଯ୍ୟ। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିରେ ସୁଧହାର ହ୍ରାସ ପାଇଥିବାରୁ ଏହା ଏକ ଅନୁକୁଳ ସ୍ଥିତି ସୃଷ୍ଟି କରିବାକୁ ସକ୍ଷମ ହେବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଜାନୁୟାରୀ-ମାର୍ଚ୍ଚରେ ନିର୍ବାଚନ ଯୋଗୁ ଜିଡ଼ିପି ଅଭିବୃଦ୍ଧି ହାର ହ୍ରାସ ପାଇଥିବା ରିପୋର୍ଟରେ କୁହାଯାଇଛି। ୨୦୧୮-୧୯ରେ ଖାଦ୍ୟଶସ୍ୟ ଉତ୍ପାଦନ କମ୍‌ ରହିଥିବା ଚିନ୍ତା ଜନକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଗତ ୫ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ହାର ୭.୫ ପ୍ରତିଶତ ଥିବାବେଳେ ଏହି ସମୟ ମଧ୍ୟରେ ବିକାଶ ଧାରା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ଏହାର ସକରାତ୍ମକ ପ୍ରଭାବ ଯୋଗୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

Share