Categories: ଜାତୀୟ

ଆର୍ଥିକ ସ୍ଥିତି, କରୋନାକୁ ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ୧୩।୩: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତି ମଧ୍ୟ ଭୁଶୁଡ଼ୁଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋଇଛନ୍ତି। କିଭଳି ଏହାର ମୁକାବିଲା କରାଯିବ, ସେନେଇ ତାଙ୍କ ପାଖରେ କୌଣସି ଉତ୍ତର ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରି କହିଛନ୍ତି। ମୋଦିଙ୍କ ଆଦର୍ଶ ଦେଶର ଅର୍ଥନୀତିକୁ ଧ୍ୱଂସ କରିସାରିଲାଣି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କିଛି ହୋଇନାହିଁ ବୋଲି କହି ବୁଲୁଛନ୍ତି। ଏନେଇ ଦେଶକୁ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଉଚିତ। ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରିତ୍ୱରେ ଦେଶ ୧୦ ବର୍ଷରେ ବେଶ୍‌ ଆର୍ଥତ୍କ ଉନ୍ନତି କରିଥିଲା। କେନ୍ଦ୍ର ସରକାର ବିମୁଦ୍ରୀକରଣ ଓ ଜିଏସ୍‌ଟି ଦ୍ୱାରା ଦେଶର ଅର୍ଥନୀତିକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଏବେ ଦେଶରେ ସୁନାମି ଦେଖାଦେଇଛି। କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହାକୁ କିପରି ରୋକାଯିବ, ସେନେଇ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ କରୋନା ଓ ଦେଶର ଆର୍ଥତ୍କ ସ୍ଥିତି ସମ୍ପର୍କରେ ମନ୍ତବ୍ୟ ଦିଅନ୍ତୁ ବୋଲି ଦାବି କରିଛନ୍ତି। କରୋନା ଯୋଗୁ ଶେୟାର ମାର୍କେଟ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ପୁଞ୍ଜିନିବେଶ କରିଥିବା ଲୋକ ବ୍ୟାପକ କ୍ଷତି ସହିଛନ୍ତି। ଏଭଳି ସ୍ଥିତିରେ ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। କରୋନା ଯୋଗୁ ଅର୍ଥନୀତି ବିଗିଡ଼ିବାରେ ଲାଗିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓ ପ୍ରଧାନମନ୍ତ୍ରୀ ଚୁପ୍‌ହୋଇ ବସିଲେ ଚଳିବନି। ଆମେରିକା, ଅଷ୍ଟ୍ରେଲିଆ ପକ୍ଷରୁ କରେନା ଯୋଗୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ବୋଲି ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି। ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାର୍ଲାମେଣ୍ଟରେ କରାଯିବା ଦରକାର। ନ ହେଲେ ଆଗକୁ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ରହିଥିବା ସେ ପ୍ରକାଶ କରିଛନ୍ତି।

Share