Categories: ଖେଳ

ଆର୍ମିରେ କାର୍ଯ୍ୟ କରିବାରେ ଏକମାତ୍ର ଭାରତୀୟ କ୍ରିକେଟର ନୁହନ୍ତି ଧୋନୀ

ମୁମ୍ବାଇ,୩୧।୭(ପିଟି)- ଭାରତୀୟ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାରଠାରୁ ଜମ୍ମୁ-କଶ୍ମୀରରେ ଭଲ୍ୟୁଣ୍ଟାରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ପାଟ୍ରୋଲିଂ ମଧ୍ୟ କରିବେ। ତେବେ ଆର୍ମି ଯବାନ ଭାବେ ଦେଶ ସେବା କରୁଥିବା ଧୋନୀ ପ୍ରଥମ କ୍ରିକେଟର ନୁହନ୍ତି। ତାଙ୍କ ପୂର୍ବରୁ ବହୁ ଭାରତୀୟ ଟେଷ୍ଟ ଖେଳାଳି ଆର୍ମିରେ କାର୍ଯ୍ୟ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ ସି.କେ. ନାୟୁଡୁ (୧୯୮୫-୧୯୬୭) ପ୍ରଥମ କ୍ରିକେଟର ଭାବେ ଭାରତୀୟ ଆର୍ମିରେ କାର୍ଯ୍ୟ କରିଥିଲେ। ୧୯୩୨ରେ କ୍ୟାରିୟର ଆରମ୍ଭ କରିଥିବା କ୍ରିକେଟର ମୋଟ ଉପରେ ୭ ଟେଷ୍ଟ ଖେଳି ୩୫୦ ରନ୍‌ କରିବା ସହ ୮ ଉଇକେଟ ନେଇଥିଲେ। ସ୍ବାଧୀନତା ପରେ ତାଙ୍କୁ କଲୋନେଲ ପଦବୀରେ ସମ୍ମାନିତ କରାଯାଇଥିଲା। ଲ୍ୟୁଟ୍‌ନାଣ୍ଟ କଲୋନେଲ ହେମୁ ଅଧିକାରୀ (୧୯୧୯-୨୦୦୩) ଅଲରାଉଣ୍ଡର ଓ ଦେଶର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଭାବେ ପରିଚିତ। ୧୨ ବର୍ଷର ଲମ୍ବା ଟେଷ୍ଟ କ୍ୟାରିୟରରେ ୨୧ ମ୍ୟାଚ୍‌ ଖେଳିଥିଲେ। ଗୋଟିଏ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ୧୯୭୧ ଇଂଲଣ୍ଡରେ ପ୍ରଥମ ବିଜୟ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ମେଜର ଭେଙ୍କେଟରମଣ ନାରାୟଣ ସ୍ବାମୀ (୧୯୨୪-୧୯୮୩) ଜଣେ ମିଡିୟମ ପେସର ଥିଲେ। ସେ ୧୯୬୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ୟାରିୟରର ଏକମାତ୍ର ଟେଷ୍ଟ ଖେଳିଥିଲେ। ଲ୍ୟୁଟ୍‌ନାଣ୍ଟ କଲୋନେଲ ଅଲରାଉଣ୍ଡର ଚନ୍ଦ୍ରଶେଖର ଗଡ୍‌କରୀ (୧୯୮୨-୧୯୯୮) ୧୯୫୩ରେ ୬ ଟେଷ୍ଟ ଖେଳିଥିଲେ। ଓ୍ବିଙ୍ଗ କମାଣ୍ଡର ଭି.ଏମ୍‌. ମୁଦ୍ଦିହ (୧୯୨୯-୨୦୦୯) ଅଫ ସ୍ପିନର ୨ ଟେଷ୍ଟ ଖେଳି ୧୯୬୦ରେ ପାକିସ୍ତାନ ବିପକ୍ଷରେ ୩ ଉଇକେଟ ନେଇଥିଲେ। ଲ୍ୟୁଟ୍‌ନାଣ୍ଟ କଲୋନେଲ ରମଣ ସୁରେନ୍ଦ୍ରନାଥ (୧୯୩୭-୨୦୧୨) ସୁଇଂ ବୋଲର ଭାବେ ୧୧ ଟେଷ୍ଟରୁ ୨୬ ଉଇକେଟ ନେଇଥିଲେ। ଦୁଇ ଥର ଇନିଂସରେ ୫ ଉଇକେଟ ହାତେଇଥିଲେ। ଲ୍ୟୁଟନାଣ୍ଟ ଜେନେରାଲ ଅପୂର୍ବ ସେନଗୁପ୍ତା (୧୯୩୮-୨୦୧୩) ଏକମାତ୍ର ଟେଷ୍ଟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୯୫୯ରେ ଖେଳିଥିଲେ। ଏହି ତାଲିକାରେ ରହିଛନ୍ତି କ୍ରିକେଟର ପ୍ରାୟ ସମସ୍ତ ବ୍ୟାଟିଂ ରେକର୍ଡର ଅଧିକାରୀ ସଚିନ ତେନ୍ଦୁଲକର। ତାଙ୍କୁ ୨୦୧୦ ଇଣ୍ଡିଆନ ଏୟାର ଫୋର୍ସର ଗ୍ରୁପ କ୍ୟାପଟେନ ପଦବୀରେ ସମ୍ମାନିତ କରାଯାଇଥିଲା। ୧୦୦ ଅନ୍ତର୍ଜାତୀୟ ଶତକ ଲଗାଇଥିବା ଏକମାତ୍ର କ୍ରିକେଟର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ମ୍ୟାଚ୍‌ରେ ୨୦୦ ରନ୍‌ କରିଥିଲେ।

Share