ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କମିଶନର: ରାଜଧାନୀ ଏଭଳି ସାକ୍ଷାତକାର ନ କରିବାକୁ ଉଲ୍ଲେଖ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନ ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀ ମଙ୍ଗଳବାର ଆତଙ୍କ ଖେଳାଇଥିଲେ। ଜୋର ଜବରଦସ୍ତ ଟ୍ରେନ୍‌ ବଗିରେ ପଶି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବୁଧବାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ରାଜ୍ୟ ସରକାର ଏବଂ ୧୨୦ ବାଟାଲିୟନ ଅଧିକାରୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।

ରାଜଧାନୀରେ ଆଗକୁ ଏଭଳି ସାକ୍ଷାତକାରର ଆୟୋଜନ କରା ନ ଯାଉ। ସମ୍ବେଦନଶୀଳ ସ୍ଥାନ ଥିବାରୁ ରାଜଧାନୀରେ ଏଭଳି ଇଣ୍ଟରଭ୍ୟୁ ନ କରିବାକୁ ସେ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ଏହା ବଦଳରେ ଗ୍ରାମାଞ୍ଚଳ କିମ୍ବା କୌଣସି ଉପଯୁକ୍ତ ସ୍ଥାନରେ ଏହାର ବ୍ୟବସ୍ଥା କରାଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି। ଏନେଇ ତୁରନ୍ତ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରକାଶଯୋଗ୍ୟ, ସୋମବାର ଅପରାହ୍ନରେ କେତେଜଣ ପରୀକ୍ଷାର୍ଥୀ ଆଇଜି ପାର୍କରେ ଜନ୍ମଦିନ ପାଳୁଥିବା ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ। ଏହାକୁ ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ। ଫଳରେ ଉକ୍ତ ଯୁକ ଗୁରୁତର ହୋଇଥିଲେ। ଏହାକୁ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏହା ପରେ ମଙ୍ଗଳବାର ଷ୍ଟେଶନରେ କିଛି ପରୀକ୍ଷାର୍ଥୀ ଆତଙ୍କ ଖେଳାଇଥିଲେ। ସେମାନେ ଜବରଦସ୍ତ ବଗିରେ ପଶି ଉତ୍ପାତ କରିବା ସହ ଭଙ୍ଗାରୁଜା କରିଥିଲେ। ଫଳରେ ବାଧ୍ୟ ହୋଇ ଜିଆର୍‌ପି ଓ ଆର୍‌ପିଏଫ୍‌ ଯବାନମାନେ ଲାଠି ଚାଳନା କରିଥିଲେ।

Share