ଆର୍‌ଆଇ କାର୍ଯ୍ୟାଳୟରେ ପଶି ବାଲିମାଫିଆଙ୍କ ଗଣ୍ଡଗୋଳ: ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ ଆହତ

ଭଣ୍ଡାରିପୋଖରୀ,୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ପଶି ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ବାଇଁ ଓ ରାଜସ୍ବ ନିରୀକ୍ଷକ ରାମନାରାୟ ସାମଲ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଆର୍‌ଆଇ ସାମଲ ବନ୍ଦାଳ ବୈତରଣୀ ନଦୀବନ୍ଧ ନିକଟରୁ ବେଆଇନ ଭାବେ ବାଲି ପରିବହନ କରୁଥିବା ୨ ଟ୍ରାକ୍ଟରକୁ ଜବତ କରି କାର୍ଯ୍ୟାଳୟକୁ ଆଣୁଥିବା ବେଳେ ରାସ୍ତାରେ ଡ୍ରାଇଭର ବାଲିକୁ ଢାଳି ଦେଇଥିଲେ। ପରେ ଆର୍‌ଆଇ ସାମଲ ଗାଡ଼ି ନଂ. ଲେଖି ସେଠାରୁ କାର୍ଯ୍ୟାଳୟକୁ ପଳାଇ ଆସିଥିଲେ। ଅତିରିକ୍ତ ତହସିଲଦାର ସ୍ବାଇଁ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ। ଏହି ସମୟରେ ବାଲି ମାଫିଆମାନେ ଠେଙ୍ଗାଧରି ଆର୍‌ଆଇ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଅତିରିକ୍ତ ତହସିଲଦାର ସ୍ବାଇଁ, ଆର୍‌ଆଇ ସାମଲଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେମାନେ ଆହତ ହୋଇଛନ୍ତି। ଏହା ସହ ପିଅନ ପ୍ରଦୀପ ଜେନା ମଧ୍ୟ ଆହତ ହୋଇଛନ୍ତି।