ଆର୍‌ଏସ୍‌ପି ମେନ ହୋଲରେ ପଡି ଶିଶୁ ମୃତ

ରାଉରକେଲା ଅଫିସ,୨୦।୨-ସେକ୍ଟର- ୩ ଅଞ୍ଚଳରେ ଆର୍‌ଏସ୍‌ପି ମେନ ହୋଲକୁ ଖସି ପଡି ଜଣେ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେକ୍ଟର- ୩ ଅଟୋ କଲୋନୀ ବାସିନ୍ଦା କଳାକାର ସାହୁଙ୍କ ଅଢେଇ ବର୍ଷର ପୁଅ ହିମାଂଶୁ ଖରାବେଳେ ବାହାରେ ଖେଳୁଥିଲେ। ତାଙ୍କ ଉପରେ କାହାର ନଜର ନ ଥିଲା। ପାଖ ବି/ ୧୧ କ୍ୱାଟର୍ସ ନିକଟରେ ରହିଥିବା ଏକ ଖୋଲା ମେନ ହୋଲକୁ ଖସି ପଡି ସେ ଆଉ ବାହାରକୁ ବାହାରି ପାରି ନ ଥିଲା। ଫଳରେ ଏଥିରେ ଫସି ରହି ସେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ପିଲାଟି କାଳେ ବାହାରେ ଖେଳୁଥିବା ଭାବି ମାତା ପିତା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ତାକୁ ଏହି ନାଳରୁ ଠାବ କରିଥିବା ସୂଚନା ମିଳିଛି। ମୂମୂର୍ଷ ଅବସ୍ଥାରେ ପିଲାଟିକୁ ରାଉରକେଲା ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ନିଆଯାଇ ଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ନେଇ ସେକ୍ଟର -୩ ଥାନା ଅଧିକାରୀଙ୍କୁ ପଚରାଯିବାରୁ ସେ କହିଥିଲେ ଆମ ପାଖରେ ଏ ନେଇ କିଛି ଖବର ନାହିଁ।