Advertisement
Categories: ବାଣିଜ୍ୟ

ଆର୍‌କମ୍‌ ବିରୋଧରେ ଚାଲିବ ଦେବାଳିଆ ପ୍ରକ୍ରିୟା

ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍‌କା ଲାଗିଛି। ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ଆର୍‌କମ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା ନେଇ ଜାରି ହୋଇଥିବା ରହିତାଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଆର୍‌କମ୍‌ଠାରୁ ନେଇ ୫୭୬ କୋଟି ଟଙ୍କା ଏରିକସନକୁ ଫେରାଇବାକୁ ହେବ। ସୁପ୍ରିମକୋର୍ଟ ରାୟ ପରେ ଜେଲ୍‌ ଯିବାରୁ ରକ୍ଷା ପାଇବା ଲାଗି ଆର୍‌କମ୍‌ ମାଲିକ ଅନିଲ ଅମ୍ବାନୀ ଏରିକସନକୁ ଉକ୍ତ ଅର୍ଥ ଦେଇଥିଲେ। ଏଥିରେ ମୂଳ ଅର୍ଥ ୫୫୦ କୋଟି ଟଙ୍କା ଏବଂ ସୁଧ ବାବଦରେ ୨୬ କୋଟି ଟଙ୍କା ଥିଲା। ବିଚାରପତି ଏସ୍‌.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ମଙ୍ଗଳବାର କହିଥିଲେ ଯେ, ସୁପ୍ରିମକୋର୍ଟ ଦ୍ୱାରା ଜାରି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଖଣ୍ଡପୀଠ ଆବେଦନକାରୀ(ଆର୍‌କମ୍‌)ଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛନ୍ତି। ଦେବାଳିଆ ପ୍ରକ୍ରିୟା(ଇନ୍‌ସଲଭେନ୍ସି ପ୍ରୋସିଡିଂ) ଉପରେ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରି ନିଆଯାଉଛି। ଫଳରେ ଆର୍‌କମ୍‌ ବିରୋଧରେ ଏବେ  ମୁମ୍ବାଇସ୍ଥିତ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି) ଖଣ୍ଡପୀଠରେ ଶୁଣାଣି ହେବ। ସୂଚନାଥାଉ କି, ଏନ୍‌ସିଏଲ୍‌ଟିର ମୁମ୍ବାଇ ଖଣ୍ଡପୀଠ ଗତବର୍ଷ ମେ ୧୫ରେ ଆର୍‌କମ୍‌ ଏବଂ ଏହାର ଦୁଇ ସହାୟକ କମ୍ପାନୀ ରିଲାଏନ୍ସ ଇନ୍‌ଫ୍ରାଟେଲ ଏବଂ ରିଲାଏନ୍ସ ଟେଲିକମ୍‌ ବିରୋଧରେ ଏରିକସନର ଦେବାଳିଆ ଆବେଦନକୁ ଶୁଣିବା ଲାଗି ଗ୍ରହଣ କରିଥିଲେ। ନ୍ୟାୟାଧିକରଣ କମ୍ପାନୀ ପରିଚାଳନା ଲାଗି ଅନ୍ତରୀଣ ପେଶାଦାର ସମାଧାନକାରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ଆର୍‌କମ୍‌ ଏହା ବିରୋଧରେ ଏନ୍‌ସିଏଲ୍‌ଏଟିଙ୍କ ଦ୍ୱାରସ୍ଥ ହେବା ପରେ ଏହା ଉପରେ ରହିତାଦେଶ ଜାରି କରାଯାଇଥିଲା। ଏଥିପୂର୍ବରୁ ଏନ୍‌ସିଏଲ୍‌ଏଟି କହିଥିଲେ ଯେ, ଆର୍‌କମ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ନେଇ ଜାରି ହୋଇଥିବା ରହିତାଦେଶ ପ୍ରତ୍ୟାହାର କରାଯିବା ମାତ୍ରେ ଏରିକସନ ପାଇଥିବା ବକେୟା ଅର୍ଥ ଫେରାଇବାକୁ ବାଧ୍ୟ ରହିବ। ତେବେ ମଙ୍ଗଳବାର ଶୁଣାଣି ବେଳେ ଏ ପ୍ରସଙ୍ଗ ଉଠି ନ ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share