Categories: ଜାତୀୟ

ଆର୍‌ଜେଡି ସହ ଶିବସେନାକୁ ତୁଳନା କଲେ ସୁଶୀଲ ମୋଦି

ପାଟନା,୨୩।୧୧: ମହାରାଷ୍ଟ୍ରରେ ଭାଙ୍ଗି ଯାଇଛି ଶିବସେନାର ସ୍ବପ୍ନ। ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ଶିବସେନାକୁ ଏବେ ଲାଗିଛି ଶକ୍ତ ଧକ୍କା। ରାତି ପାହିବା ପୂର୍ବରୁ ଭାଜପା ସରକାର ଗଢି ଦେଇଛି। ଦେବେନ୍ଦ୍ର ଫଡବନିସ ପୁଣିଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏତିକିବେଳେ କିନ୍ତୁ ଶିବସେନାକୁ ବିହାରର ଆର୍‌ଜେଡି ସହ ତୁଳନା କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି। ସେ କହିଛନ୍ତି ବିହାରରେ ଆର୍‌ଜେଡି ଯେମିତି ଗୁଣ ବାହାର କରିଥିଲା ମହାରାଷ୍ଟ୍ରରେ ଶିବସେନା ଠିକ୍‌ ସେମିତି ବ୍ୟବହାର ଦେଖାଇଲା। ସୁଶୀଲ କହିଛନ୍ତି ଆର୍‌ଜେଡିରେ ଯେମିତି ବଦମାସ୍‌ ଓ ନିର୍ବୋଧ ବ୍ୟକ୍ତି ଅଛନ୍ତି ଶିବସେନାରେ ମଧ୍ୟ ସେମିତି ବ୍ୟକ୍ତି ଅଛନ୍ତି। ତେଣୁ ଶିବସେନାକୁ ନେଇ ସରକାର ବେଶିଦିନ ଚାଲିପାରିବ ନାହିଁ ବୋଲି ସୁଶୀଲ ମୋଦି କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ଭାଜପା ସହ ମେଣ୍ଟ କରି ନିର୍ବାଚନ ଲଢିଲା। ହେଲେ ୫୦-୫୦ ଅଙ୍କକୁ ନେଇ ନିଜ ଜିଦ୍‌ରେ ଅଡି ବସିବା ଫଳରେ ଭାଜପା ସହ ଶିବସେନାର ମେଣ୍ଟ ଭାଙ୍ଗିଗଲା ଓ ଶେଷରେ ଭାଜପା ଏହାର ଫାଇଦା ଉଠାଇ ଶନିବାର ସକାଳୁ ଦେବେନ୍ଦ୍ର ଫଡନବିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇ ଦେଇଛି।

Share