ଆର୍‌ଟିଓ ଅଫିସକୁ ଲାଇସେନ୍ସ କରିବାକୁ ଯାଉଥିଲେ, ଟ୍ରକ୍‌ ଚକାତଳେ ଚାଲିଗଲା ଜୀବନ

ଭଦ୍ରକ ଅଫିସ,୧୦।୧୨: ଆର୍‌ଟିଓ ଅଫିସକୁ ଲାଇସେନ୍ସ କରିବାକୁ ଯାଉଥିବାବେଳେ ଟ୍ରକ୍‌ ଚକାତଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲା ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା କୁପାରି ଅଞ୍ଚଳର ଦୁଇଜଣ ବ୍ୟକ୍ତି ଏକ ବାଇକ୍‌ ଯୋଗେ ଭଦ୍ରକ ଆର୍‌ଟିଓ ଅଫିସକୁ ଲାଇସେନ୍ସ ପାଇଁ ଯାଉଥିଲେ। ରାଣୀତାଲ ଛକ ନିକଟରେ ରାସ୍ତା ଅତିକ୍ରମ କରୁଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟଜଣକୁ ଅଗ୍ନିଶମ ବାହିନୀ କର୍ମଚାରୀ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଗୁରୁତର କୁପାରିର ରମାକାନ୍ତ ଦାସ ହୋଇଥିବା ବେଳେ ମୃତଙ୍କ ପରିଚୟ ମିଳିପାରି ନାହିଁ।