Categories: ଅନୁଗୋଳ

ଆର୍‌ଟିଓ କାର୍ଯ୍ୟାଳୟରେ ଅବ୍ୟବସ୍ଥା: ଡିଏଲ ଟେଷ୍ଟ ପାଇଁ ଆସି ହନ୍ତସନ୍ତ

ଅନୁଗୋଳ ଅଫିସ, ୨୧।୧୧ – ଅନୁଗୋଳ ପଞ୍ଚମହଲାସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ବୁଧବାର ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଫାଇନାଲ ଡ୍ରାଇଭିଂ ପରୀକ୍ଷା ପାଇଁ ୫୦ରୁ ଊର୍ଦ୍ଧ୍ୱ ଆବେଦନକାରୀ ଆସିଥିବାବେଳେ ଅଫିସ ଛୁଟି ଥିବାରୁ ସେମାନେ ହନ୍ତସନ୍ତ ହୋଇଥିଲେ। ପ୍ରତିବାଦ ସ୍ବରୂପ ସେମାନେ ୫୫ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେବା ପରେ ବାଧ୍ୟ ହୋଇ ଅଫିସ ଖୋଲାଯାଇଥିଲା ଏବଂ ନିୟମ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ପ୍ରଥମାଷ୍ଟମୀ ପାଇଁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପଶ୍ଚିମାଞ୍ଚଳ ରାଜସ୍ବ ଆୟୁକ୍ତ ଛୁଟି ଘୋଷଣା କରିଥିଲେ। ଅନୁଗୋଳ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସର ଲର୍ନିଂ ମିଳିଥିଲା। ଫାଇନାଲ ଡ଼୍ରାଇଭିଂ ଟେଷ୍ଟ ପାଇଁ ୨୦ତାରିଖ ଧାର୍ଯ୍ୟ ହୋଇଥିଲା। ସମ୍ପୃକ୍ତ ଲୋକମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ହେଲେ ଆର୍‌ଟିଓ କାର୍ଯ୍ୟାଳୟ ବନ୍ଦ ଥିଲା। ହେଲେ ସେଠାରେ କେତେଜଣ ଆର୍‌ଟିଓ କର୍ମଚାରୀ ଯାନବାହନ ଯାଞ୍ଚ କରୁଥିଲେ। ସେମାନଙ୍କର ଡ଼୍ରାଇଭିଂ ଲାଇସେନ୍ସ ଟେଷ୍ଟ ସମ୍ପର୍କରେ ପଚାରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ଡିଏଲ୍‌ ଟେଷ୍ଟ ପାଇଁ ଜିଦ୍‌ କରିଥିଲେ। ଦୀର୍ଘ ସମୟ ଯାଏ ପଦକ୍ଷେପ ନିଆ ନ ଯିବାରୁ ଗାଡ଼ିଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସେମାନେ ୫୫ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଅଧଘଣ୍ଟା ଧରି ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଆରଟିଓଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଆର୍‌ଟିଓ କାର୍ଯ୍ୟାଳୟ ଖୋଲିଥିଲା। ଉପସ୍ଥିତ ଲୋକଙ୍କ ପରୀକ୍ଷା ପରେ ପୁଣି କାର୍ଯ୍ୟାଳୟ ବନ୍ଦ ହୋଇଥିଲା। ଏ ନେଇ ଆରଟିଓ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କୁହନ୍ତି, ଛୁଟିଥିବାରୁ କାର୍ଯ୍ୟାଳୟ ବନ୍ଦ ଥିଲା। ହେଲେ ଏତେ ସଂଖ୍ୟାରେ ଲୋକ ଆସିଥିବାରୁ କାର୍ଯ୍ୟାଳୟ ଖୋଲିବାକୁ ବାଧ୍ୟ ହେଲୁ।