ଆର୍‌ପିଏଫ୍‌ର ‘ସକ୍ଷମ’ ଟ୍ରେନିଂ: ଯାତ୍ରୀଙ୍କୁ କରିବ ମାର୍ଜିତ ବ୍ୟବହାର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ରେଳ ସୁରକ୍ଷା ବଳ(ଆରପିଏଫ୍‌) ପକ୍ଷରୁ ସୋମବାରଠାରୁ ୫ଦିନିଆ ‘ସକ୍ଷମ’ ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆରପିଏଫ୍‌ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ହେଉଛି ଏହି ତାଲିମର ମୂଳ ଲକ୍ଷ୍ୟ। ଏବେ ପୂର୍ବତଟ ରେଳପଥର ସବୁ ଆରପିଏଫ ଥାନାରେ ଏହି ତାଲିମ କାର୍ଯ୍ୟକ୍ରମ କରାଯାଉଛି। ବୁଧବାର ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ‘ସକ୍ଷମ’ର ତୃତୀୟ ଦିନ ଥିଲା। ଭୁବନେଶ୍ୱର ଥାନାଧିକାରୀ କାଳୁ ସେଠୀ ପ୍ରଶିକ୍ଷକ ଭାବେ ପୋଷ୍ଟର କର୍ମକର୍ତ୍ତାମାନଙ୍କୁ ‘ସୂକ୍ଷ୍ମ କୌଶଳ’ ବିଷୟରେ ବୁଝାଇଥିଲେ। ଆରପିଏଫ ନିଯୁକ୍ତି ପାଇବା ଦିନଠାରୁ ‘କଠିନ କୌଶଳ’ ଶିଖି ଆସିଛି। ଯାହା ସାଧାରଣ ଯାତ୍ରୀ ପକ୍ଷେ ଗ୍ରହଣ କରିବା କଷ୍ଟକର। ବଦଳୁଥିବା ସମୟ ସହ ଆରପିଏଫକୁ ବି ଯାତ୍ରୀଙ୍କୁ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବାର ଆବଶ୍ୟକ ପଡିଛି ବୋଲି ଥାନାଧିକାରୀ ସେଠୀ କହିଛନ୍ତି। ତାଲିମ୍‌ରେ ସୂକ୍ଷ୍ମ କୌଶଳ ସହ ଟ୍ରେନ ଏକ୍ସଟିଂ, ଲିଙ୍ଗଗତ ସମ୍ବେଦନଶୀଳତା, ଶିଶୁ, ବୟସ୍କ ଓ ନିରାଶ୍ରୟମାନଙ୍କ ଯତ୍ନ, ମାନବ ଅଧିକାର, ଉନ୍ନତ ସୁରକ୍ଷା ଉପକରଣର ବ୍ୟବହାର ଓ ଏନଡିପିଏସ ଆକ୍ଟ ବି ସାମିଲ ଅଛି। କାର୍ଯ୍ୟକ୍ରମରେ କାଳୁ ସେଠୀଙ୍କ ସହ ଭୋଗୁରାମ ଘୋଟିଆ ମଧ୍ୟ ତାଲିମ ଦେଉଛନ୍ତି।