Categories: ବାଣିଜ୍ୟ

ଆର୍‌ବିଆଇ ଏପ୍ରିଲ-ମାର୍ଚ୍ଚ ଆର୍ଥିକ ବର୍ଷ ଆପଣାଉ: ଜଲାନ କମିଟି

ମୁମ୍ବାଇ,୨୯-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିଜର ଆର୍ଥିକ ବର୍ଷରେ ପରିବର୍ତ୍ତନ ଆଣି ଏପ୍ରିଲରୁ ମାର୍ଚ୍ଚ ବ୍ୟବସ୍ଥା ଆପଣାଉ ବୋଲି ବିମଳ ଜଲାନ କମିଟି ରିପୋର୍ଟରେ ସୁପାରିସ କରାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଉ ଅନ୍ତରୀଣ ଲାଭାଂଶ ଦେବାକୁ ପଡିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏଥିସହ ରିଜର୍ଭ ବ୍ୟାଙ୍କର ଆର୍ଥିକ ପୁଞ୍ଜି ବ୍ୟବସ୍ଥାକୁ ପ୍ରତି ୫ ବର୍ଷରେ ଥରେ ସମୀକ୍ଷା କରାଯିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ଇତିମଧ୍ୟରେ ସରକାରଙ୍କୁ ୫୨,୬୩୭ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ପ୍ରଦାନ କରିସାରିଛି। ଏହାବ୍ୟତୀତ ୧,୨୩,୪୧୪ କୋଟି ଟଙ୍କାର ଲାଭାଂଶ ଓ ଅତିରିକ୍ତ ପୁଞ୍ଜିକୁ ସରକାରଙ୍କୁ ଦିଆଯିବ। ଏଥିନେଇ ଆର୍‌ବିଆଇ ବୋର୍ଡ ସୁପାରିସକୁ ଅନୁମୋଦନ କରିସାରିଛି। ରିପୋର୍ଟରେ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କର କାର୍ଯ୍ୟଶୈଳୀ ଓ ଆର୍ଥିକ କ୍ଷେତ୍ରରେ ବିପଦ ଦେଖାଦେଲେ ଆର୍ଥିକ ପୁଞ୍ଜି ନିୟମର ସମୀକ୍ଷା ମଝିରେ ଯେ କୌଣସି ସମୟରେ କରିହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ପୁଞ୍ଜି ପ୍ରଦାନ ନେଇ ନୀତି ପ୍ରଣୟନ କରିବାକୁ କୁହାଯାଇଛି। ଜଲାନ କମିଟି କହିଛନ୍ତି ଯେ, ସରକାରଙ୍କ ସହ ଉନ୍ନତ ତାଳମେଳ ରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ଆର୍ଥିକ ବର୍ଷରେ ପରିବର୍ତ୍ତନ ଜରୁରୀ। ଏହାଦ୍ୱାରା ବିଭିନ୍ନ ଅନୁମାନ ଓ ପ୍ରକାଶନ ମାମଲାରେ ସରକାରଙ୍କ ସହ ସମନ୍ବୟ ରକ୍ଷା କରିବା ସହଜ ହେବ ବୋଲି ରିପୋର୍ଟରେ କୁହାଯାଇଛି।

Share