Categories: ବାଣିଜ୍ୟ

ଆର୍‌ବିଆଇ କର୍ମଚାରୀ ୟୁନିୟନର ଦାବି;ଗଭର୍ନର, ଡେପୁଟି ଗଭର୍ନର ଚୟନ କଲେଜିୟମ ଦ୍ୱାରା ହେଉ

ମୁମ୍ବାଇ,୨୬-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଏବଂ ଡେପୁଟି ଗଭର୍ନରଙ୍କ ଚୟନ ବିଶେଷଜ୍ଞଙ୍କୁ ନେଇ ଗଠିତ କଲେଜିୟମ ଦ୍ୱାରା କରାଯିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କର୍ମଚାରୀ ୟୁନିୟନ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏନେଇ ୟୁନିୟନ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏହାଦ୍ୱାରା ଆର୍‌ବିଆଇର ସ୍ବାଧୀନତା କାଏମ ରହିପାରିବ ବୋଲି ବିବୃତିରେ କୁହାଯାଇଛି। ସୂଚନାଥାଉ କି, ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟଙ୍କ ଅଚାନକ ଇସ୍ତଫା ପରେ କେନ୍ଦ୍ରୀୟ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ଅଯଥା ହସ୍ତକ୍ଷେପକୁ ନେଇ ସ୍ବର ଉଠିବା ଆରମ୍ଭ ହେଲାଣି। ଆଚାର୍ଯ୍ୟ ଅପରିହାର୍ଯ୍ୟ କାରଣ ଦର୍ଶାଇ ଜୁଲାଇ ୨୩ରୁ ଆଉ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆର୍‌ବିଆଇକୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି। ରିଜର୍ଭ ବ୍ୟାଙ୍କର ଆଇନର ଧାରା ୮ ଅନୁଯାୟୀ ଗଭର୍ନର ଏବଂ ଡେପୁଟି ଗଭର୍ନରଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଥାନ୍ତି। କର୍ମଚାରୀ ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ଏଭଳି ସମ୍ବେଦନଶୀଳ ତଥା ମହତ୍ତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ନିଷ୍ପତ୍ତି କେତେକ ଅଧିକାରୀଙ୍କ ଦ୍ୱାରା ନିଆଯିବା ଉଚିତ୍‌ ନୁହେଁ। କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ଅନୁଚିତ। ଏଭଳି ନିଯୁକ୍ତି ବିଶେଷଜ୍ଞଙ୍କୁ ନେଇ ଗଠିତ କଲେଜିିୟମ ଦ୍ୱାରା ହେବା ଆବଶ୍ୟକ। ଏହି କଲେଜିୟମରେ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ନର, ଅନ୍ୟ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କର ଓ ଅର୍ଥନୀତିଜ୍ଞଙ୍କୁ ସାମିଲ କରାଯିବା ଉଚିତ। କଲେଜିୟମ ହିଁ ଜଣେ ଗଭର୍ନର, ଡେପୁଟି ଗଭର୍ନରଙ୍କ କ୍ଷମତା, ଦକ୍ଷତା, ଜ୍ଞାନ ଓ ଅଭିଜ୍ଞତାକୁ ଆକଳନ କରିପାରିବେ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି।

Share