Categories: ବାଣିଜ୍ୟ

ଆର୍‌ବିଆଇ କେନ୍ଦ୍ରୀୟ ବୋର୍ଡର ବୈଠକ;ଅର୍ବାନ କୋଅପରେଟିଭ ବ୍ୟାଙ୍କ ପରିଚାଳନା ନେଇ ସମୀକ୍ଷା

ଭୁବନେଶ୍ୱର,୧୪-୧୨(ପି.ଟି): ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କେନ୍ଦ୍ରୀୟ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ବାନ କୋଅପରେଟିଭ ବ୍ୟାଙ୍କଗୁଡିକର ପରିଚାଳନା ଧାରା ଏବଂ ଏ ନେଇ ରହିଥିବା ବିଭିନ୍ନ ନିୟାମାବଳୀ ଉପରେ ବୈଠକରେ ସମୀକ୍ଷା କରାଯାଇଥିଲା। ନିକଟରେ ସାମ୍ନାକୁ ଆସିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର (ପିଏମ୍‌ସି) ବ୍ୟାଙ୍କ ଠକେଇ ପରେ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତା ଗଠିତ କେନ୍ଦ୍ରୀୟ କମିଟି ଦେଶ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଞ୍ଜ ବର୍ତ୍ତମାନର ଆର୍ଥତ୍କ ସ୍ଥିତି ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡିକ କାର୍ଯ୍ୟଶୈଳୀକୁ ସଙ୍ଗଠିତ ଏବଂ ଅନୁପାଳନ ଧାରାକୁ ଦୃଢ କରିବା ଦିଗରେ ନିୟମ ଆଣିବାକୁ ବୈଠକରେ ଫୋକସ କରାଯାଇଥିବା ସୂଚନା ରହିଛି।
ପିଏମ୍‌ସି ବ୍ୟାଙ୍କରେ ଋଣ ଠକେଇ ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଏହାର ୯.୧୫ ଲକ୍ଷ ଜମାକାରୀଙ୍କ ଉପରେ ଉଠାଣ କଟକଣା ଜାରି କରିଥିଲା। ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର ଲିମିଟେଡ ଭଳି ଏକ ବାଣିଜି୍ୟକ ଗ୍ରୁପକୁ ପ୍ରାୟ ୬ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ପ୍ରଦାନ କରାଯିବା ଫଳରେ ବ୍ୟାଙ୍କର ସ୍ଥିତି ବିଗିଡିଥିଲା। ଏହି ଋଣ ମଧ୍ୟରୁ କେବଳ ୪୩୯.୫୮ କୋଟି ଟଙ୍କାର ଋଣ ସମ୍ପର୍କରେ ରିଜର୍ଭ ବ୍ୟାଙ୍କକୁ ଜଣାଯାଇଥିଲା। ବଳକା ୫,୭୮୬ କୋଟି ଟଙ୍କା ର ଋଣ କେନ୍ଦ୍ରୀୟ ବ୍ୟାଙ୍କ ଅଗୋଚରରେ ରହିଥିଲା। ବୈଠକରେ ଆର୍‌ବିଆଇ ଡେପୁଟି ଗଭର୍ନର ଏନ୍‌.ଏସ୍‌. ବିଶ୍ୱନାଥନ, ବି.ପି.କାନୁନଗୋ, ମହେଶ କୁମାର ଜୈନଙ୍କ ସମେତ କେନ୍ଦ୍ରୀୟ ବୋର୍ଡର ଅନ୍ୟ ନିର୍ଦ୍ଦେଶକ ଏନ୍‌.ଚନ୍ଦ୍ରଶେକରନ, ଭାରତ ଦୋଶୀ, ସୁଧୀର ମଙ୍କଡ, ମନୀଷ ସଭରଓ୍ବାଲ, ଅଶୋକ ଗୁଲାଟି, ପ୍ରସନ୍ନ କୁମାର ମହାନ୍ତି, ସତୀଶ ମରାଠେ, ସ୍ବାମୀନାଥନ ଗୁରୁମୂର୍ତ୍ତୀ, ରେଭଥୀ ଆୟର ପ୍ରମୁଖ ଉପସ୍ଥିତ ଥିଲେ।

Share