Categories: ବାଣିଜ୍ୟ

ଆର୍‌ବିଆଇ ନିର୍ଦ୍ଦେଶ ସତ୍ତ୍ୱେ ଶସ୍ତା ହେବ ନାହିଁ ଋଣ

ନୂଆଦିଲ୍ଲୀ,୭-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ରେପୋ ରେଟ ଭଳି ବାହ୍ୟ ବେଞ୍ଚ ମାର୍କ ରେଟ୍‌ ସହ ସମସ୍ତ ପ୍ରକାର ରିଟେଲ ଋଣକୁ ଯୋଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ରିଟେଲ ଋଣ ସୁଧ ହାର ଶସ୍ତା ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନାଦାୟ ଋଣ(ଏନ୍‌ପିଏ) ବୋଝ ତଳେ ଦବି ରହିଥିବା ବ୍ୟାଙ୍କଗୁଡ଼ିକ ବେଞ୍ଚମାର୍କ ରେଟ୍‌ ଉପରେ ଅଧିକ ସ୍ପ୍ରେଡ୍‌ ଦର୍ଶାଇ ନିଜ ଲାଭକୁ ବଞ୍ଚାଇବାକୁ ଚେଷ୍ଟା କରିବା ଯୋଗୁ ଏହା ଋଣ ସୁଧ ହାର ଶସ୍ତା ହେବ ନାହିଁ ବୋଲି କୁହାଯାଉଛି।
ବ୍ୟାଙ୍କ ବିଶେଷଜ୍ଞ ଏବଂ ବିଶ୍ଳେଷକମାନେ କହିଛନ୍ତି ଯେ, ଆର୍‌ବିଆଇର ସଦ୍ୟତମ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକର ନେଟ୍‌ ଇଣ୍ଟ୍ରେଷ୍ଟ ମାର୍ଜିନ ବା ସୁଧ ବାବଦ ଲାଭ ଚାପଗ୍ରସ୍ତ ହୋଇପାରେ। ବ୍ୟାଙ୍କଗୁଡ଼ିକ ଋଣ ଉପରେ ସୁଧ ହାର ସ୍ଥିର କଲା ବେଳେ ବର୍ତ୍ତମାନର ଫର୍ମୁଲା ଛାଡ଼ି ମାର୍କେଟ ଆଧାରିତ ବେଞ୍ଚମାର୍କ ଫର୍ମୁଲା ଆପଣାଇବାକୁ ଆର୍‌ବିଆଇ ନିର୍ଦ୍ଦେଶ ଦେଇଛି।
ସ୍ବଳ୍ପ ଅବଧିରେ ବଢ଼ିପାରେ ସୁଧ ହାର
କେତେକ ବ୍ୟାଙ୍କ ମୁଖ୍ୟ ଏବଂ ବିଶ୍ଲେଷକଙ୍କ କହିବାନୁଯାୟୀ ସ୍ବଳ୍ପ ଅବଧିରେ ସୁଧ ହାର ବଢ଼ିପାରେ ଅଥବା ବର୍ତ୍ତମାନର ସ୍ତରରେ ରହିପାରେ। କାରଣ ବ୍ୟାଙ୍କଗୁଡ଼ିକର ପାଣ୍ଠି ଯୋଗାଡ କରିବାର ଖର୍ଚ୍ଚ ଜମା ସୁଧ ହାର ସହ ଯୋଡି ହୋଇ ରହିଛି। ଏହା କୌଣସି ବେଞ୍ଚମାର୍କ ସୁଧ ହାର ସହ ଯୋଡି ହୋଇନାହିଁ।
ଲାଭ ସହ ହୋଇପାରେ ସାଲିସ
ବ୍ୟାଙ୍କ ନିଜର ଜମା ଖର୍ଚ୍ଚକୁ ଉଠାଇବାକୁ ଯାଇ ଅଧିକ ବିପଦପୂର୍ଣ୍ଣ ପ୍ରିମିୟମ ଚାର୍ଜ କରିବା ଆରମ୍ଭ କରିପାରେ। ଜମା ହାରରେ ପରିବର୍ତ୍ତନ ରେପୋ ରେଟ୍‌ ଅଥବା ଟ୍ରେଜେରୀ ବିଲ୍‌ ଭଳି କୌଣସି ବାହ୍ୟ ବେଞ୍ଚମାର୍କ ମୁତାବକ ହୋଇପାରିବ ନାହିଁ। ଯାହା ସମ୍ପର୍କରେ ଆର୍‌ବିଆଇ ପ୍ରସ୍ତାବ ଦେଇଛି। ଯଦି ବ୍ୟାଙ୍କ ଜମା ସୁଧ ହାର ନ ବଢ଼ାଇବେ ତେବେ ସେମାନଙ୍କୁ ଲାଭ ସହ ସାଲିସ୍‌ କରିବାକୁ ହେବ।
ଇଏମ୍‌ଆଇରେ ଅସ୍ଥିରତା
ଏସ୍‌ବିଆଇ ସିଏଫ୍‌ଓ ପ୍ରଶାନ୍ତ କୁମାର କହିଛନ୍ତି ଯେ, ସମସ୍ତ ନୂଆ ରିଟେଲ ଋଣକୁ ବାହ୍ୟ ବେଞ୍ଚମାର୍କ ସହ ଯୋଡିବା ଦ୍ୱାରା ଗ୍ରାହକଙ୍କ ଲାଗି ଇଏମ୍‌ଆଇରେ ଅସ୍ଥିରତା ଲାଗି ରହିବ। କାରଣ ସୁଧ ହାର ପ୍ରତି ୩ ମାସରେ ପୁନର୍ଗଠିତ ହେବ। ରିଟେଲ ଋଣଗ୍ରହିତା ଇଏମ୍‌ଆଇରେ ସ୍ଥିରତା ପାଇବେ ନାହିଁ। ଏହା ଗାଏବ ହୋଇଯିବ।

Share