Categories: ବାଣିଜ୍ୟ

ଆର୍‌ବିଆଇ ହ୍ରାସ କଲା ରିସ୍କ ଓ୍ବେଟ୍‌;ଶସ୍ତା ହେବ କଞ୍ଜ୍ୟୁମର, ପର୍ସନାଲ ଲୋନ

ଓ୍ବାଶିଂଟନ,୧୪-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପାର୍ବଣ ଋତୁରେ ଖର୍ଚ୍ଚ ବଢ଼ାଇବା ଲାଗି ପଦକ୍ଷେପ ନେଇଛନ୍ତି। କଞ୍ଜ୍ୟୁମର ଲୋନ୍‌ ପାଇଁ ଆବଶ୍ୟକ ହେଉଥିବା ରିସ୍କ ଓ୍ବେଟ୍‌କୁ ୧୨୫ରୁ ୧୦୦ ପ୍ରତିଶତକୁ ହ୍ରାସ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି। ଫଳରେ ପର୍ସନାଲ, କଞ୍ଜ୍ୟୁମର ଲୋନ୍‌ ଉପରେ ବ୍ୟାଙ୍କଗୁଡ଼ିକର ଖର୍ଚ୍ଚ କମିଯିବ। ସେମାନେ ଏହି ସବୁ ଋଣ ସୁଧ ହାର ହ୍ରାସ କରିବାକୁ ସୁଯୋଗ ପାଇବେ। ତେବେ କ୍ରେଡିଟ କାର୍ଡ ମାମଲାରେ ଏହି ଛାଡ଼ ସୁବିଧା ମିଳିବନି। ସୂଚନାଥାଉ କି, ଋଣ ଫେରସ୍ତ ନ ହେବା କ୍ଷେତ୍ରରେ ଏହାର ଭରଣା ପାଇଁ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ପୁଞ୍ଜି ଜମା ରଖିଥାନ୍ତି। ଏହାକୁ ରିସ୍କ ଓ୍ବେଟ୍‌ କୁହାଯାଇଥାଏ। କ୍ରେଡିଟ କାର୍ଡ ଭଳି ଅଣସୁରକ୍ଷିତ ମନେ କରାଯାଉଥିବା ଋଣ ପାଇଁ ଅଦ୍ୟାବଧି ଅତିକମ୍‌ରେ ୧୨୫ ପ୍ରତିଶତର ରିସ୍କ ଓ୍ବେଟ୍‌ ରଖାଯିବାର ବ୍ୟବସ୍ଥା ରହିଛି। ତେବେ ଶିକ୍ଷା ଋଣକୁ ଏଥିରୁ ବାଦ୍‌ ଦିଆଯାଇଛି। କେରଳରେ ଓଣମ ପର୍ବ ପାଳନରୁ ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆର୍‌ବିଆଇର ଉକ୍ତ ପଦକ୍ଷେପ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଆସନ୍ତା ମାସରେ ଉତ୍ତର ଭାରତ ଓ ପୂର୍ବ ଭାରତରେ ଦଶହରା ଓ ଦୀପାବଳୀ ପାଳନ କରାଯିବ। ଏପରିସ୍ଥିତିରେ ଗ୍ରାହକଙ୍କୁ ଶସ୍ତାରେ ଋଣ ଉପଲବ୍ଧ ହୋଇପାରିବ। ତେବେ ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଏହାର ଫାଇଦା ପହଞ୍ଚାଇବା ଆବଶ୍ୟକ ରହିଛି। କ୍ରେଡିଟ କାର୍ଡରେ ଏହି ସୁବିଧାର ଲାଭ ମିଳୁ ନ ଥିଲେ ସୁଦ୍ଧା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକ କଞ୍ଜ୍ୟୁମର ଡ୍ୟୁରେବଲ୍ସ କ୍ରୟ ଲାଗି ଋଣ ଦେଉଛନ୍ତି। ଏଥିରେ ଫାଇଦା ମିଳିବ। ଅର୍ଥାତ୍‌ ଟିଭି, ଫ୍ରିଜ୍‌, ଓ୍ବାଟର ପ୍ୟୁରିଫାୟର ଭଳି ଉତ୍ପାଦ କିଣୁଥିବା ଗ୍ରାହକଙ୍କୁ ପାର୍ବଣ ଋତୁରେ ଲାଭ ମିଳିବାକୁ ଯାଉଛି।

Share