Categories: ଜାତୀୟ

ଆର୍‌ସିଇପି ବାଣିଜ୍ୟ ଚୁକ୍ତିରେ ସାମିଲ ହେବନି ଭାରତ

ଶ୍ରୀନଗର,୫ା୧୧(ପି.ଟି.): ଚାଇନା ସମର୍ଥତ୍ତ ଆଞ୍ଚଳିକ ବିସ୍ତୃତ ଅର୍ଥନୈତିକ ଭାଗୀଦାରିତା (ଆର୍‌ସିଇପି) ବାଣିଜ୍ୟ ଚୁକ୍ତିନାମାରେ ସାମିଲ ନ ହେବାକୁ ଭାରତ ନିଷ୍ପତ୍ତି ନେଇଛି। ଚୁକ୍ତିନାମାର କେତେକ ସର୍ତ୍ତକୁ ନେଇ ଭାରତ ଚିନ୍ତାବ୍ୟକ୍ତ କରିଥିଲାବେଳେ ଏହାର ସମାଧାନ ହୋଇ ନ ଥିବାରୁ ଏଥିରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ନୂଆଦିଲ୍ଲୀ କହିଛି। ଆର୍‌ସିଇପି ରାଜିନାମାର ପ୍ରକୃତ ଉଦ୍ଦେଶ୍ୟ ଜଣାପଡିନାହିଁ। ତେବେ ଭାରତର ସ୍ବାର୍ଥ ସହ ସାଲିସ କରାଯାଇପାରିବ ନାହିଁ ବୋଲି ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି। ଆର୍‌ସିଇପି ଗରିବଙ୍କ ସ୍ବାର୍ଥର ସୁରକ୍ଷା କରିବା ସହ ସେବା କ୍ଷେତ୍ର ପ୍ରତି ଅନୁକୂଳ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏହି ବୃହତ୍‌ ଆସିଆନ୍‌ ବାଣିଜ୍ୟ ଚୁକ୍ତିନାମାକୁ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଛି। ମୂଳ ବର୍ଷରୁ ଚାଇନା ସାମଗ୍ରୀ ଆମଦାନି ଉପରେ ସୁରକ୍ଷା ପାଇଁ ଟାରିଫ ହ୍ରାସ ଏବଂ ଅନ୍ୟ ୧୫ ରାଷ୍ଟ୍ର ଦ୍ୱାରା ସେବା ସେକ୍ଟର ଖୋଲିବା ଆଦିକୁ ନେଇ ନୂଆଦିଲ୍ଲୀ ଚିନ୍ତାବ୍ୟକ୍ତ କରିଛି। ଆର୍‌ସିଇପି ବୁଝାମଣା ପୂର୍ବରୁ ଏହାର ସମସ୍ତ ଦିଗ ପ୍ରତି ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଆନ୍‌ ସମ୍ମିଳନୀରେ ଯୋଗଦେବାକୁ ଯିବା ପୂର୍ବରୁ କହିଥିଲେ। ଏହି ଚୁକ୍ତିନାମା ଲାଗି କୌଣସି ସମୟସୀମାକୁ ଭାରତ ଗ୍ରହଣ କରିନାହିଁ। ଦେଶର ସ୍ବାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି। ଆର୍‌ସିଇପି ଚୁକ୍ତିନାମାରେ ଭାରତ ସାମିଲ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇଥିବାରୁ ଏହାକୁ ବିଭିନ୍ନ ବାଣିଜ୍ୟ ସଂଗଠନ ସ୍ବାଗତ କରିଛନ୍ତି। ଏହା ଏକ ନିଷ୍ଠୁର ଚୁକ୍ତି ବୋଲି ଅଖିଳ ଭାରତ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲ୍‌ଓ୍ବାଲ କହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଚାଇନାରୁ ଶସ୍ତା ସାମଗ୍ରୀ ଭାରତୀୟ ବଜାରରେ ଛାଇହୋଇଯାଇଥାନ୍ତା ବୋଲି ଦେଶର କ୍ଷୁଦ୍ର ବ୍ୟବସାୟିକ ସଂସ୍ଥାଗୁଡିକ ଆଶଙ୍କା କରୁଥିଲେ। ଏହା ଭାରତର ସମ୍ପୂର୍ଣ୍ଣ ପୋଷାକ ଶିଳ୍ପକୁ ପ୍ରଭାବିତ କରିଥାନ୍ତା ବୋଲି ଆପାରେଲ୍‌ ଏକ୍ସପର୍ଟ ପ୍ରମୋଶନ କାଉନସିଲର ନିର୍ଦ୍ଦେଶକ ଚନ୍ଦ୍ରିମା ଚାଟାର୍ଜୀ କହିଛନ୍ତି।

Share