ଆଲିଗଡ଼ ଲଜ୍ଜା: ବାଲୁକାକଳା ମାଧ୍ୟମରେ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କଲେ ସୁଦର୍ଶନ

ପୁରୀ ଅଫିସ,୮।୬: ଉତ୍ତରପ୍ରଦେଶ(ୟୁପି)ର ଆଲିଗଡ଼ରେ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅଭିଯୁକ୍ତ ଜାହିଦ ଓ ଅସଲମ୍‌ଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ ବୋଲି ଦେଶବ୍ୟାପି ସ୍ବର ଉଠୁଛି। ଏହି କ୍ରମରେ ଶନିବାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଘଟଣାକୁ ଘୃଣ୍ୟ ତଥା ଅମାନବୀୟ କହିବା ସହ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ଆଲିଗଡ଼ଠାରୁ ୫୦ କିମି ଦୂର ତପ୍ପାଲ ସହରରେ ଅଢ଼େଇ ବର୍ଷୀୟା ଶିଶୁକନ୍ୟା ନିଖୋଜ ହୋଇଥିଲେ। ଏହାର ଦୁଇ ଦିନ ପରେ ଏକ ଅଳିଆ ଗଦାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତନାଘନା ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ପଚରାଉଚରା କରିବା ପରେ ସେମାନେ ମାତ୍ର ଦଶହଜାର ଟଙ୍କାକୁ ନେଇ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ବୟାନ ଦେଇଥିଲେ। ଅପହରଣ ପରେ ସେମାନେ ଶିଶୁକନ୍ୟାଙ୍କ ଆଖି ଦୁଇଟିକୁ ନଷ୍ଟ, ମସ୍ତିଷ୍କକୁ ଗଳିତ ଏବଂ ହାତଗୋଡ଼ ଭାଙ୍ଗି ଦେଇଥିଲେ। ଏଥିସହ ତାଙ୍କୁ ହତ୍ୟା କରିବା ପୂର୍ବରୁ ବଳାତ୍କାର କରାଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ଖବର ପ୍ରଚାରିତ ହେବା ପରେ କେବଳ ଆଲିଗଡ଼ ନୁହେଁ ବରଂ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବର ଉଠୁଛି।

Share