ମୁମ୍ବାଇ,୮।୬: ଉତ୍ତର ପ୍ରଦେଶ ଆଲିଗଡରେ ହୋଇଥିବା ଶିଶୁ ହତ୍ୟା ମାମଲାକୁ ବିରୋଧ କରି ପ୍ରଥମେ ଅନୁପମ ଖେର, ସୋନମ କପୁର, ସନ୍ନି ଲିଓନ ଆଦି ଟୁଇଟ୍ କରିବା ପରେ ଏବେ ଏହାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ବିଙ୍କିଲ ଖାନ୍ନା। ଏହା ଅତ୍ୟନ୍ତ ଅମାନବୀୟ ବୋଲି ଉଭୟ କହିଛନ୍ତି। ଦୋଷୀଙ୍କୁ ତୁରନ୍ତ କଠୋରରୁ କଠୋର ଦଣ୍ଡ ମିଳୁ ବୋଲି ଉଭୟ ପ୍ରକାଶ କରିଛନ୍ତି। ଟ୍ବିଙ୍କିଲ ଏଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ହସ୍ତକ୍ଷେପ ଲୋଡିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ଟୁଇଟର୍ରେ ସେ ଅନୁରୋଧ କରିଛନ୍ତି। ଏହାସହ ଶିଶୁଟିକୁ ଯେଉଁଭଳି ଭାବେ ହତ୍ୟା କରାଯାଇଛି ତାକୁ ନେଇ ମଧ୍ୟ ସେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୦ ହଜାର ଟଙ୍କା କରଜ ପାଇଁ ମାତ୍ର ଅଢେଇ ବର୍ଷର ଶିଶୁଟିର ତାଙ୍କ ପଡୋଶୀ ଅତି ଜଘନ୍ୟ ଭାବେ ହତ୍ୟା କରିବା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି।