Categories: ଅନୁଗୋଳ

ଆଲୁମିନିୟମ ପାର୍କ କ୍ଷତିଗ୍ରସ୍ତଙ୍କ ଜରୁରୀ ବୈଠକ : ଗ୍ରହଣ କରିବେ ଆନ୍ଦୋଳନାତ୍ମକ ପନ୍ଥା

ବଅଁରପାଳ, ୨୭।୬ (ଡି.ଏନ୍‌.ଏ.) – ଆଲୁମିନିୟମ ପାର୍କ ପାଇଁ ଅଧିଗ୍ରହଣ କରାଯାଇଥିବା ଗୋଚର ଜମି ବଦଳରେ ଇଡ୍‌କୋ କର୍ତ୍ତୃପକ୍ଷ ଏଯାଏ ଅନ୍ୟତ୍ର ଜମି ଦେବାକୁ ପଦକ୍ଷେପ ନେଇ ନ ଥିବାରୁ ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମବାସୀ ଓ ଏହି ଗ୍ରାମ ସୀମା ମଧ୍ୟରେ ଥିବା ତୁଳସୀପାଳ ଗ୍ରାମର କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଏ ନେଇ ଉଭୟ ଗ୍ରାମବାସୀଙ୍କ ଏକ ବୈଠକ ସଭାପତି ଅକ୍ଷୟ କୁମାର ବିଶୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟତ୍ର ଜମି ଦେବା ପାଇଁ ଇଡ୍‌କୋ କର୍ତ୍ତୃପକ୍ଷ ୧୦ ଦିନ ସମୟ ନେଇଥିଲେ ହେଁ ଏଯାଏ କୌଣସି ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇ ନ ଥିବାରୁ ବୈଠକରେ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଥିଲେ। ଆସନ୍ତା ୧ ତାରିଖ ମଧ୍ୟରେ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏତଦ୍‌ବ୍ୟତୀତ କ୍ଷତିଗ୍ରସ୍ତ ପ୍ରଜା ଦୃଷ୍ଟିରୁ ଭବିଷ୍ୟତରେ ପ୍ରକଳ୍ପରେ ଠିକା କାମ, ନିଯୁକ୍ତି ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଉଦୟ ନାଥ ଦାଶ, ବ୍ରଜବନ୍ଧୁ ସାହୁ, ଗୋଲେଖ ବିଶ୍ୱାଳ, ସୁରେଶ ଚନ୍ଦ୍ର ଗଡ଼ନାୟକ, ଧୀରେନ୍ଦ୍ର ଗଡ଼ନାୟକ, ଦୁଃଶାସନ ସାହୁ, ଅନାଦି ସାହୁ, ଅଶୋକ କୁମାର ଗଡ଼ନାୟକ ଓ ଅଭୟ କୁମାର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।