ଆଲୋଚନା ପୂର୍ବରୁ ପାକ୍‌ କଠୋର ପଦକ୍ଷେପ ନେଉ

ଜାତିସଂଘ,୨୬ା୯(ପି.ଟି.): ପାକିସ୍ତାନ ସହ ଆଲୋଚନା ପୂର୍ବରୁ ଇସ୍‌ଲାମାବାଦକୁ କେତେକ କଠୋର ପଦକ୍ଷେପ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ କହିଛନ୍ତି। କଶ୍ମୀର ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ଏକତ୍ର କିଛି କରିବାକୁ ଟ୍ରମ୍ପ୍‌ ପ୍ରସ୍ତାବ ଦେବା ପରେ ମୋଦି ଉପରୋକ୍ତ ମତ ଦେଇଥିଲେ। ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ମଙ୍ଗଳବାର ମୋଦି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିଲା। ଭାରତ ସମ୍ମୁଖୀନ ହେଉଥିବା ଆତଙ୍କବାଦ ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୩୦ ବର୍ଷରେ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ୪୨ ହଜାର ଲୋକଙ୍କ ଜୀବନ ଯାଇଛି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ଲୋଡିଥିଲେ ମୋଦି।
ପାକିସ୍ତାନ ସହ ଆଲୋଚନାପାଇଁ ଇସ୍‌ଲାମବାଦ୍‌କୁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବାକୁ ହେବ ବୋଲି ବହିର୍ବ୍ୟାପାର ସଚିବ ବିଜୟ ଗୋଖ୍‌ଲେ କହିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କୁ ସପରିବାର ଭାରତ ଆସିବା ଲାଗି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ତାଙ୍କୁ ମନେ ପକାଇଦେଇଛନ୍ତି।

Share