ଆଳୁ ପିଆଜ ଗୋଦାମରେ ଚଢ଼ାଉ: ବିଲ୍‌, ଭାଉଚର ଦେଖାଇ ପାରିଲେନି ବ୍ୟବସାୟୀ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ସହରର କେତେଜଣ ଅସାଧୁ ବେପାରୀ ସେମାନଙ୍କ କଳାବେପାର ଆରମ୍ଭ କରିଦେଇଛନ୍ତି। ଆଳୁ, ପିଆଜ, ଚାଉଳ, ତେଲ, ଡାଲି, ପନିପରିବା ମୂଲ୍ୟକୁ ଅହେତୁକ ବୃଦ୍ଧି ଓ ଗଚ୍ଛିତ କରି ରଖିଥିବା ଅଭିଯୋଗ ପରେ ଜିଲା ପ୍ରଶାସନ ଓ ପୋଲିସ ଟିମ୍‌ ପକ୍ଷରୁ ଗୁରୁବାର ବିଭିନ୍ନ ଗୋଦାମରେ ଚଢ଼ାଉ କରାଯାଇଥିଲା । ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ବଲାଙ୍ଗୀର ଡେଲିମାର୍କେଟସ୍ଥିତ ବିଜୟ ଆଳୁ ଭଣ୍ଡାର, ମାରୁତି ଆଳୁ ଗୋଦାମ ଓ ପବନ କୁମାର ଏଣ୍ଡ କୋ. ଗୋଦାମରେ ସକାଳ ୮ଟାରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ଖୁଚୁରା ବେପାରୀମାନେ ହୋଲସେଲରଙ୍କଠାରୁ ଅଧିକ ଟଙ୍କା ଦେଇ ଆଳୁ, ପିଆଜ କିଣିଥିବା କହିଥିଲେ । ପୂର୍ବର ଆଳୁ ଓ ପିଆଜ ଷ୍ଟକ ଥିଲେ ମଧ୍ୟ ଏହି ହୋଲସେଲରମାନେ କରୋନା ମହାମାରୀକୁ ନେଇ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା ପରେ ଆଳୁ କେଜି ୧୮ ଟଙ୍କାରୁ ୩୦ ଟଙ୍କା ଓ ପିଆଜ କେଜି ୨୦ ଟଙ୍କାରୁ ୨୮ ଟଙ୍କାକୁ ବଢ଼ାଇଥିବା ଜଣାପଡିଥିଲା । ଏହି ତିନି ହୋଲସେଲର ସେମାନଙ୍କର ୱେବିଲ, ଜିଏସ୍‌ଟି ବିଲ ଦେଖାଇ ପାରି ନ ଥିଲେ । ଫଳରେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ମିଶ୍ର କହିଛନ୍ତି। ହୋଲସେଲରଙ୍କଠାରୁ ଆଳୁ, ପିଆଜ ମୂଲ୍ୟ ବୃଦ୍ଧି ପରେ ଖୁଚୁରା ବେପାରୀମାନେ ବଜାରରେ ଆଳୁ କେଜି ୪୦ ଟଙ୍କା ଓ ପିଆଜ କେଜି ୪୫ ଟଙ୍କାକୁ ବୃଦ୍ଧି କରି ବିକ୍ରି କରୁଥିବା ଜଣାପଡିଛି । ଏଭଳି ସ୍ଥିତିରେ ସାଧାରଣ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଆଳୁ, ପିଆଜ ପାଇଁ କଳାବଜାରକାରୀଙ୍କ ଶୋଷଣର ଶିକାର ହେଉଛନ୍ତି। ଗାନ୍ଧୀନଗରପଡାସ୍ଥିତ ସୁରୁଚି ମାର୍କେଟରେ ଅଚାନକ୍‌ ଚାଉଳ ମୂଲ୍ୟ ବୃଦ୍ଧି କରାଯାଇଥିବା ଜଣାପଡିଛି । ଏଠାରେ ଚାଉଳ କେଜି ମୂଲ୍ୟ ୪୦ରୁ ୫୦ ଟଙ୍କା ଯାଏ ବିକ୍ରି ହେଉଛି। ଏସ୍‌ପି ସନ୍ଦୀପ ମାଡକର ଗୁରୁବାର ସକାଳୁ ଡେଲିମାର୍କେଟଠାରେ ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ସଉଦା କରିବା ସମ୍ପର୍କରେ ସଚେତନ କରିଥିଲେ । ଅଯଥା ଭିଡ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । କ୍ରବାରଠାରୁ ବଲାଙ୍ଗୀର ଡେଲିମାର୍କେଟ ରାସ୍ତା ଉପରେ ବସୁଥିବା ପନିପରିବା ବେପାରୀଙ୍କୁ କୋଶଳ କଳାମଣ୍ଡଳ ପଡିଆକୁ ସ୍ଥାନାନ୍ତର କରାଯିବ। ସକାଳ ୭ଟାରୁ ୧୦ଟା ଓ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଲୋକେ କିଣାବିକା କରିପାରିବେ । ସେହିଭଳି ପୃଥ୍ବୀରାଜ ହାଇସ୍କୁଲ ପଡିଆ, ପ୍ୟାଲେସ ଲାଇନ୍‌ ୱେସ୍କୋ ପଡିଆ, ମିଶନ୍‌ ପଡିଆଠାରେ ମଧ୍ୟ ଏଭଳି ସାମାଜିକ ଦୂରତା ଡେଲିମାର୍କେଟ ବସାଯିବ ବୋଲି ଉପଜିଲାପାଳ ମିଶ୍ର ସୂଚନା ଦେଇଛନ୍ତି।

Share