ଆଶଙ୍କାରେ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ: ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହେବ ନୂଆ ଶିଳ୍ପ ନୀତି-୨୦୨୦

ଭୁବନେଶ୍ୱର,୧୩ା୫(ବ୍ୟୁରୋ)-କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶକୁ ୩ ଟି ପର୍ଯ୍ୟାୟରେ ମେ ୧୭ ଯାଏ ଲକଡାଉନ କରାଯାଇଛି। ଏହି ସମୟରେ କଳକାରଖାନା, ବାଣିଜ୍ୟ ବ୍ୟବସାୟ ସବୁ କିଛି ବନ୍ଦ ରହିଛି। ୩ୟ ପର୍ଯ୍ୟାୟରେ ଯଦିଓ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି ତଥାପି ଏବେ ବି ବହୁ କ୍ଷୁଦ୍ର ଶିଳ୍ପ ପୁନଃ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଶିଳ୍ପଗୁଡିକୁ ପୁନର୍ଜୀବିତ କରିବା ସହିତ ବିଦେଶ ପୁଞ୍ଜିକୁ ଓଡିଶାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ନୂଆ ଶିଳ୍ପନୀତି-୨୦୨୦ ଆଣିବାକୁ ଯାଉଛନ୍ତି। ଏନେଇ ଶିଳ୍ପ ସଂଘଗୁଡିକ ଠାରୁ ମତାମତ ଲୋଡାଯାଇଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ନୂତନ ଶିଳ୍ପ ନୀତି ପ୍ରସ୍ତୁତ ଶେଷ ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ରାଜ୍ୟ ସରକାର ପୁଞ୍ଜୀପତିଙ୍କୁ ଆକୃଷ୍ଟ କରିବା ଲାଗି ମେକ୍‌ ଇନ୍‌ ଓଡିଶାର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ସବୁକିଛି ଠିକଠାକ୍‌ ରହିଲେ ପୂର୍ବ ନିର୍ଦ୍ଧାରିତ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ଅନୁଷ୍ଠିତ ହେବ। ପ୍ରତି ଦୁଇ ବର୍ଷରେ ଥରେ ଏହି କନକ୍ଲେଭ ହୋଇଥାଏ। ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ୨୦୧୯ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ଦେଇ ସାରିଥିଲେ। କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଚଳିତ ବର୍ଷ ଏହି କନକ୍ଲେଭ ଆୟୋଜନ ନେଇ ଆଶାଙ୍କା ଦେଖା ଦେଇଛି।

Share