ଆଶାକର୍ମୀଙ୍କୁ ମାଡ଼ମାରି ଜଣେ ଗିରଫ: ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଜିଲାପାଳ

ବାଲେଶ୍ୱର ଅଫିସ, ୨୪।୪: ବାଲେଶ୍ୱର ଜିଲା ବାରବାଟି ଗ୍ରାମର ଆଶାକର୍ମୀ ସୁଭଦ୍ରା ଭଞ୍ଜ ପ୍ରଶାସନ ପକ୍ଷରୁ ନେଳିଆବାଗ୍‌ କଣ୍ଟେନମେଣ୍ଟ ଅଞ୍ଚଳରେ ସର୍ଭେ କାମରେ ନିୟୋଜିତ ଅଛନ୍ତି। ତେବେ ସୁଭଦ୍ରା ଗୁରୁବାର ଡ୍ୟୁଟିସାରି ଘରକୁ ଫେରୁଥିବା ବେଳେ କଣ୍ଟେନମେଣ୍ଟ ଅଞ୍ଚଳରୁ ଆସିଥିବାକୁ ନେଇ ଗ୍ରାମର ରମେଶ ମହାଳିକ ତାଙ୍କୁ କମେଣ୍ଟ କରିଥିଲେ। ଏଥିସହ ଗ୍ରାମରେ ପୁରାଇବାକୁ ବାରଣ କରିଥିଲେ। ପରେ ରମେଶଙ୍କ ପରିବାର ସୁଭଦ୍ରାଙ୍କ ଘରେ ପଶି ତାଙ୍କ ସହ ଝିଅ ଓ ଶାଶୁଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ୩ ଜଣ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଛନ୍ତି।
ଏହି ଘଟଣାକୁ ନେଇ ସୁଭଦ୍ରାଙ୍କ ପକ୍ଷରୁ ବାଲେଶ୍ୱର ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ କେସ୍‌ ନଂ. ୯୯/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ରମେଶଙ୍କୁ ଗିରଫ କରିଛି। ଅନ୍ୟପଟେ ପ୍ରତିପକ୍ଷଙ୍କ ପକ୍ଷରୁ ମଧ୍ୟ ଥାନରେ ଆଉ ଏକ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ସକାଳେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆଶାକର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ଅନ୍ୟ ଆଶାକର୍ମୀଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟକରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି।

Share