ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଏଭଳି ପରିସ୍ଥିତିରେ ବିନିକା ଅଞ୍ଚଳରେ ଆଶାକର୍ମୀମାନଙ୍କୁ ସାନିଟାଇଜର ଓ ମାକ୍ସ ମିଳୁନାହିଁ । କେତେକ ଆଶାକର୍ମୀ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରକୁ ଯାଇ ଲୋକଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି । ଏପରି କି ବାହାର ଅଞ୍ଚଳରୁ କୌଣସି ବ୍ୟକ୍ତି ଘରକୁ ଆସିଥିଲେ କିମ୍ବା କେହି ବାହାର ରାଜ୍ୟକୁ ଯାଇଥିଲେ ତାର ତଥ୍ୟ ସଂଗ୍ରହ କରିବେ । ଏହାଛଡା ଯଦି ଅନ୍ୟ ରାଜ୍ୟରୁ କେହି ଆସିଛନ୍ତି ତେବେ ତାଙ୍କର ପରୀକ୍ଷା ହୋଇଛି କି ନାହିଁ ଏସବୁ ତଦାରଖ କରିବେ । ଏହିି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବା ବେଳେ ମାକ୍ସ କିମ୍ବା ସାନିଟାଇଜର ଯୋଗାଇ ଦିଆଯାଉ ନ ଥିବାରୁ ଆଶାକର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏ ନେଇ ସୁବର୍ଣ୍ଣପୁର ସିଡିଏମ୍‌ଓ ଦିଲୀପ କୁମାର ପଣ୍ଡାଙ୍କୁ ପଚାରିବାରେ କହିଥିଲେ ଯେ, ଆଶାକର୍ମୀମାନଙ୍କ ପାଇଁ ଏଯାଏ ଉପଲବ୍ଧ ହୋଇନାହିଁ । ମିଳିଲେ ସେମାନଙ୍କୁ ଯୋଗାଇ ଦିଆଯିବ । ଏନେଇ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ରବୀନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ କହିଥିଲେ , ଏଯାଏଁ ମାତ୍ର ୪ ଶହ ମାକ୍ସ ଓ ସାନିଟାଇଜର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲା । ଯାହା ଆସିଥିଲା ସରିଯାଇଛି ଏବେ ୪୦-୫୦ଟି ରହିଛି। ଆଗକୁ ଉପଲବ୍ଧ ହେଲେ ଆଶାକର୍ମୀମାନଙ୍କୁ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି କହିଥିଲେ ।

Share