ଆଶୀର୍ବାଦ ବେହେରା ଅସୁସ୍ଥ: କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇ ବିଚାରବିଭାଗୀୟ ଜେଲ୍‌ ହାଜତରେ ଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁତର ଅସୁସ୍ଥ ହୋଇଛନ୍ତି। ପୂର୍ବରୁ ସେ ଅସୁସ୍ଥ ଥିବାରୁ ଝାରପଡ଼ା ଜେଲ୍‌ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ରବିବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଡ଼ା ସୁରକ୍ଷାରେ ତାଙ୍କୁ ହସ୍ପିଟାଲର ନର୍ସିଂହୋମ୍‌ ୧୬ ନମ୍ବର କ୍ୟାଭିନରେ ରଖି ଚିକିତ୍ସା ଆରମ୍ଭ ହୋଇଛି। ତାଙ୍କର ସୁଗାର ଓ ରକ୍ତଚାପ ବଢ଼ିଯାଇଥିବା ଡାକ୍ତର କହିଛନ୍ତି। ଗତ ୧୯ ତାରିଖରେ ସିବିଆଇ ଆଶୀର୍ବାଦଙ୍କୁ କଟକସ୍ଥିତ ବାସଭବନରୁ ଗିରଫ କରିଥିଲା। ଏହି ମାମଲାରେ ପୂର୍ବରୁ ଆଶୀର୍ବାଦଙ୍କୁ ସିବିଆଇ ୫ଥର ଓ ଇଡି ୨ଥର ଜେରା କରିଥିଲା। ତେବେ ଗିରଫ ପରେ ସେ ଅସୁସ୍ଥ ଥିବା ନେଇ ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇବା ସହ ଜାମିନ ଦେବାକୁ ପ୍ରାର୍ଥନା କରିଥିଲେ। କିନ୍ତୁ କୋର୍ଟ ଜାମିନକୁ ଅଗ୍ରାହ୍ୟ କରିଦେଇଥିଲେ।

Share