Categories: ଖେଳ

ଆଶେସ ଦେଖିବା ଲାଗି ୧୨ ବର୍ଷୀୟ ବାଳକଙ୍କ ଅଭିନବ ପ୍ରୟାସ

ମାଞ୍ଚେଷ୍ଟର ୭ା୯ (ପି.ଟି.)-ଇଂଲଣ୍ଡରେ ଆଶେସ ଦେଖିବା ଲାଗି ଅଷ୍ଟ୍ରେଲିଆର ଜଣେ ୧୨ ବର୍ଷୀୟ ବାଳକ ଯାହା କରିଛନ୍ତି, ସେଭଳି ଦୃଷ୍ଟାନ୍ତ କହିବାକୁ ଗଲେ ଦେଖାଯାଏନି। ନିଜର ଅଭିଳାଷ ପୂରଣ କରିବା ଲାଗି ମାକ୍ସ ଓ୍ବେଟ୍‌ ନାମକ ଏହି ବାଳକଙ୍କୁ ୪ବର୍ଷ ଧରି ପଡୋଶୀଙ୍କ ଆବର୍ଜନା ବୁହାଇବାକୁ ପଡ଼ିଥିଲା। ମାକ୍ସ ୨୦୧୫ରେ ଘରୋଇ ମାଟିରେ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟ ଦେଖିବା ପରେ ଏହାର ୪ ବର୍ଷ ପରେ ଇଂଲଣ୍ଡରେ ଆଇକନିକ ଆଶେସ ସିରିଜ ଦେଖିବାକୁ ମନ ବଳାଇଥିଲେ। ବାପା ଡେମିନ୍‌ ଓ୍ବେଟ୍‌ ବାଳକଟିକୁ କହିଥିଲେ, ଯଦି ସେ ୧,୫୦୦ ଅଷ୍ଟ୍ରେଲୀୟ ଡଲାର ଉପାର୍ଜନ କରିପାରିବ ତା’ହେଲେ ନିଜେ ୟୁନାଇଟେଡ କିଙ୍ଗଡମ୍‌(ୟୁକେ) ନେବାର ବ୍ୟବସ୍ଥା କରିଦେବେ। ମାକ୍ସ ଏବଂ ତାଙ୍କ ମା’ଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। କିଛି ପାରିଶ୍ରମିକ ବଦଳରେ ପ୍ରତି ରବିବାର ପଡୋଶୀଙ୍କ ଆବର୍ଜନା ବୁହାଇ ଅର୍ଥ ସଞ୍ଚୟ କରିବା ଲାଗି ସ୍ଥିର କରିଥିଲେ। ଘର ପିଛା ୧ ଅଷ୍ଟ୍ରେଲୀୟ ଡଲାର ନେବାକୁ ସ୍ଥିର କଲେ। ଶେଷରେ ମାକ୍ସ ଆବଶ୍ୟକ ଅର୍ଥ ସଂଗ୍ରହ କରିବାରେ ସମର୍ଥ ହେଲା। ବାପା ଡେମିନ୍‌ଙ୍କୁ ଏ ବିଷୟରେ ଜଣାଇଲା। ଡେମିନ୍‌ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଚାଲିଥିବା ଚତୁର୍ଥ ଟେଷ୍ଟ ଲାଗି ପରିବାରର ସମସ୍ତ ସଦସ୍ୟଙ୍କ ଲାଗି ଟିକେଟ କ୍ରୟ କରିବା ସହ ଇଂଲଣ୍ଡ ଗସ୍ତର ବ୍ୟବସ୍ଥା କରିଥିଲେ। ମ୍ୟାଚ ଦେଖିବା ବ୍ୟତୀତ ମାକ୍ସ ସେଠାରେ କେତେଜଣ କ୍ରିକେଟ ବ୍ୟକ୍ତିତ୍ୱଙ୍କୁ ଭେଟିପାରିଛି। ଷ୍ଟିଭ ଓ୍ବ, ଜଷ୍ଟିନ ଲାଙ୍ଗର ଏବଂ ନାଥାନ ଲିଅନଙ୍କ ନିକଟରେ ବସିବାର ସୁଯୋଗ ପାଇଛି। ସେମାନଙ୍କ ସହିତ କଥା ମଧ୍ୟ ହୋଇପାରିଥିବା ମାକ୍ସ କହିଛି। ଷ୍ଟିଭ ସ୍ମିଥ୍‌ ଓ ପ୍ୟାଟ୍‌ କୁମିନ୍ସ ହେଉଛି ମୋର ଦୁଇ ଜଣ ଫେଭରାଇଟ୍‌ ଖେଳାଳି। ସେମାନଙ୍କ ସହିତ ମଧ୍ୟ ବାର୍ତ୍ତାଳାପର ସୁଯୋଗ ପାଇଛି। ଗେମ୍‌ ପାଇଁ ସେମାନେ କିଭଳି ନିଜକୁ ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ମୁଁ ଉଭୟଙ୍କ ସହିତ କଥା ହୋଇଛି। ବାସ୍ତବିକ ଏହା ଉପଭୋଗ୍ୟ ଥିଲା। ଦ୍ୱିତୀୟ ଦିବସ ଖେଳ ମଧ୍ୟାହ୍ନଭୋଜନ ବେଳେ ଅଷ୍ଟ୍ରେଲୀୟ ସ୍ପିଡ୍‌ଷ୍ଟର ଜେମ୍ସ ପ୍ୟାଟିନସନ ମାକ୍ସକୁ ଏକ ଜର୍ସି ଉପହାର ଦେଇଥିଲେ, ଯେଉଁଥିରେ ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ରହିଥିଲା।

Share