Categories: ଖେଳ

ଆଶେସ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ଅଗ୍ରଣୀ

ଲଣ୍ଡନ, ୧୪।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ ରହିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୮୭.୧ ଓଭରରେ ୨୯୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ୬୮.୫ ଓଭରରେ ୨୨୫ ରନ କରି ଅଲଆଉଟ ହୋଇଛି। ଫଳରେ ଇଂଲଣ୍ଡ ୬୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଓଭରରେ କୌଣସି ଉଇକେଟ ନ ହରାଇ ୯ ରନ ସଂଗ୍ରହ କରିଛି। ଇଂଲଣ୍ଡ ଏବେ ୧୦ ଉଇକେଟ ବାକି ରଖି ମୋଟ ଉପରେ ୭୮ ରନରେ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନର ରୋରି ବନର୍‌ସ ୪ ଓ ଜୋ ଡେନଲି ୧ ରନ କରି ଅପରାଜିତ ରହିଛନ୍ତି।
ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ତରଫରୁ ଇନ୍‌ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୮୦, ମର୍ନସ ଲାବୁସ୍କାନ ୪୮, ନାଥନ ଲିୟନ ୨୫, ମାଥ୍ୟୁ ଓ୍ବେଡ ୧୯, ପିଟର ସିଡଲ ୧୮, ମିଚେଲ ମାର୍ଶ ୧୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୬, ସାମ କୁରାନ ୩ ଓ କ୍ରିସ୍‌ ଓ୍ବକ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୭୧/୮ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଜୋସ ବଟଲର ୬୪ରୁ ଖେଳ ଆରମ୍ଭ କରି ୭୦ ରନ କରି ଆଉଟ ହୋଇଥିଲେ। ସେହିପରି ଜ୍ୟାକ ଲିଚ୍‌ ୧୦ରୁ ଖେଳ ଆରମ୍ଭ କରି ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଇଂଲଣ୍ଡ ତରଫରୁ ବଟଲର ସର୍ବାଧିକ ୭୦, ଅଧିନାୟକ ଜୋ ରୁଟ୍‌ ୫୭, ଓପନର ରୋରି ବନର୍‌ସ ୪୭ ରନ ସଂଗ୍ରହ କରିଥିଲେ ଓ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ସର୍ବାଧିକ ୫, ପ୍ୟାଟ୍‌ କୁମିନ୍ସ ୩, ଜୋଶ ହାଜଲେଉଡ ୨ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୮୭.୧ ଓଭରରେ ୨୯୪ ଅଲଆଉଟ୍‌।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୬୮.୫ ଓଭରରେ ୨୨୫ ଅଲଆଉଟ୍‌
(ଷ୍ଟିଭ୍‌ ସ୍ମିଥ୍‌- ୮୦, ମର୍ନସ ଲାବୁସ୍କାନ- ୪୮, ନାଥନ ଲିୟନ- ୨୫, ଜୋଫ୍ରା ଆର୍ଚର- ୬/୬୨, ସାମ କୁରାନ- ୩/ ୪୬)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୪ ଓଭରରେ ୯/୦।

Share