Categories: ଖେଳ

ଆଶେସ ସିରିଜ୍‌ରୁ ବିଦା ହେଲେ ଦୁଇ ଅମ୍ପାୟର

ମାଞ୍ଚେଷ୍ଟର,୨୮।୮: ଚଳିତ ଆଶେସ ସିରିଜ୍‌ର ପ୍ରଥମ ୩ ଟେଷ୍ଟରେ ବହୁମାତ୍ରାରେ ଅମ୍ପାୟରଙ୍କ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିରେ ହେଡିଂଲେ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଏଲବିଡବ୍ଲ୍ୟୁ ଦେବାରେ ବିଫଳ ହୋଇଥିଲେ, ଯାହାକି ମ୍ୟାଚ୍‌ର ଫଳାଫଳ ବଦଳି ପାରିଥାନ୍ତା ଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ରହିଛି। ଏଥିଯୋଗୁ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ଦୁଇ ନୂଆ ଅମ୍ପାୟର ଦାୟିତ୍ୱ ସମ୍ଭାଳିବେ। ଅମ୍ପାୟର ଜୋଏଲ ଓ୍ବିଲିସନଙ୍କ ସହ ଗତ ମ୍ୟାଚ୍‌ରେ ୭ଟି ଭୁଲ ନିଷ୍ପତ୍ତି କରିଥିବା କ୍ରିସ ଗାଫନି ଓଲ୍ଡ ଟ୍ରାଫର୍ଡ ମ୍ୟାଚ୍‌ ପରିଚାଳନା କରିବେ ନାହିଁ। ପ୍ରଥମ ଆଶେସ ଟେଷ୍ଟରେ ଓ୍ବିଲିସନଙ୍କ ୮ ନିଷ୍ପତ୍ତିକୁ ଦୁଇ ଦଳ ଡିଆରଏସ୍‌ ଦ୍ୱାରା ବଦଳାଇଥିଲେ। ଏହାପରେ ହେଡିଂଲେ ଦୃଶ୍ୟ ଅମ୍ପାୟରଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇଂଲଣ୍ଡକୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବାବେଳେ ନାଥନ ଲିଅନଙ୍କ ବଲ ଷ୍ଟୋକ୍ସଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହାକୁ ଓ୍ବିଲିସନ ନଟଆଉଟ୍‌ ଦେଇଥିଲେ। କିନ୍ତୁ ରିପ୍ଲେରେ ଇଂଲଣ୍ଡକୁ ଜିତିଥିବା ଷ୍ଟୋକ୍ସ ପୂରା ଆଉଟ୍‌ ଥିବା ଦେଖିବାକୁ ମିଳିଥିଲା। ଦୁଇ ଅମ୍ପାୟରଙ୍କ ବଦଳରେ ମାରାଇସ ଇରାସମୁସ ଓ ରୁଚିରା ପାଲିୟାଗୁରୁଗେ ମ୍ୟାଚ୍‌ ପରଚାଳନା କରିବେ। ୩ୟ ଅମ୍ପାୟର ଦାୟିତ୍ୱରେ ରହିବେ କୁମାର ଧର୍ମସେନା।

Share